ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା ସୃଷ୍ଟି କରୁଛି ଚାଇନା

କାଠମାଣ୍ଡୁ, ୭।୭: ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା ସୃଷ୍ଟି କରିବା ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନାର ସ୍ବୟଂସେବୀ ଶିକ୍ଷକ ନେପାଳୀ ପିଲାଙ୍କ ମନରେ ଭାରତ ବିରୋଧୀ ବିଷମଞ୍ଜି ବୁଣୁଛନ୍ତି। ନେପାଳର ୧୩୬ ସ୍କୁଲରେ ଚାଇନା ଭାଷା ମାନ୍ଦାରିନ୍‌ ଶିକ୍ଷା ଦିଆଯାଉଛି। ଭାରତ ନେପାଳ ସୀମାରେ ଥିବା ସ୍କୁଲ ଗୁଡ଼ିକରେ କୋମଳମତି ଛାତ୍ରୀଛାତ୍ରଙ୍କୁ ଏହି ଭାଷା ଶିକ୍ଷା ଦିଆଯିବା ସହିତ ଭାରତ ବିରୋଧରେ ଉସୁକାଇବା କାମ ମଧ୍ୟ କରାଯାଉଛି। ଏହି ଭାଷା ମାଧ୍ୟମରେ ଚାଇନା ଶିକ୍ଷକ ସ୍କୁଲ ପିଲାଙ୍କ ମନରେ ଭାରତ ବିରୋଧୀ ଭାବନା ଜାଗ୍ରତ କରିବାର ପ୍ରୟାସ କରୁଛି। ଏଥିପାଇଁ ଚାଇନା ୨୨୬ ସ୍ବୟଂସେବକ ଶିକ୍ଷକଙ୍କୁ ନିଯୁକ୍ତ କରିଛି। ପ୍ରତି ସ୍କୁଲରେ ଏଭଳି ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବା ଲାଗି ଯୋଜନା କରାଯାଇଛି। ମାନ୍ଦାରିନ୍‌ ଭାଷା ଶିଖିବା ପରେ ଚାଇନାରେ ଚାକିରି ମିଳିବାର ସୁଯୋଗ ରହିଥିବା କହି ଏଭଳି କରାଯାଉଛି। ଚାକିରି ଲୋଭରେ ନେପାଳୀ ଛାତ୍ରୀଛାତ୍ର ଏହି ଭାଷା ଶିଖୁଛନ୍ତି। ଏହା ଦ୍ୱାରା ଚାଇନା ନେପାଳରେ ଭାରତ ବିରୋଧୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବା କୁହାଯାଉଛି।

Share