Categories: ଜାତୀୟ

ମୋଦିଙ୍କ ଟୁଇଟ୍‌ ଦେଖି ରାଗିଗଲା ଚାଇନା: ଭାରତ ଦେଲା ଜବାବ

ନୂଆଦିଲ୍ଲୀ,୮।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସୁଛନ୍ତି। ଏହିଠାରୁ ହିଁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର କରୁଛନ୍ତି। କିନ୍ତୁ ଚାଇନା ଏହାକୁ ସର୍ବଦା ବିରୋଧ କରିଆସୁଛି। ଦଲାଇ ଲାମାଙ୍କୁ ଭାରତ ଆଶ୍ରୟ ଦେବାରେ ଚାଇନା ଅନେକ ଥର ଆପତ୍ତି କରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଟୁଇଟ୍‌ ଦେଖି ରାଗିଯାଇଛି ଚାଇନା। ଗତ ଜୁଲାଇ ୬ରେ ଦଲାଇ ଲାମାଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ଦେଖି ରାଗିଯାଇଥିଲା ଚାଇନା।
ଦଲାଇ ଲାମାଙ୍କ ଉପରେ ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ଚାଇନା ମଧ୍ୟ ପରାମର୍ଶ ଦେଇଛି। ଚାଇନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ତିବ୍ଦତ ହେଉଛି ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ବାହ୍ୟ ଶକ୍ତି ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ। ଦଲାଇ ଲାମାଙ୍କ ଚାଇନା ବିରୋଧୀ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ଭାରତ ଚିହ୍ନିବା ଉଚିତ୍‌।
ତେବେ ଚାଇନା ଏହି ଆପତ୍ତିର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଆମ ପାଇଁ ଦଲାଇ ଲାମା ଜଣେ ସମ୍ମାନିତ ଅତିଥି। ସମସ୍ତେ ଏହାକୁ ଏହି ଦୃଷ୍ଟିକୋଣରୁ ଦେଖିବା ଉଚିତ୍‌। ଦଲାଇ ଲାମା ଜଣେ ଧାର୍ମିକ ଗୁରୁ, ତାଙ୍କର ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି।
ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇ ଉତ୍ତମ ସ୍ବାସ୍ଥ୍ୟ କାମନା କରିଥିଲେ। ଏହାସହ ସେ ଦଲାଇ ଲାମାଙ୍କ ସହ ଫୋନରେ କଥା ହୋଇଥିବା କଥା ମଧ୍ୟ କହିଥିଲେ।

Share