ଆମେରିକୀୟ ୨ ସଂସ୍ଥା ଉପରେ କଟକଣା ଲଗାଇଲା ଚାଇନା

ବେଜିଂ,୮ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଏବଂ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ କାଲିଫର୍ନିଆରେ ପରସ୍ପରକୁ ଭେଟିଥିଲେ। ଲସ୍‌ଏଞ୍ଜେଲସ୍‌ର ରୋନାଲ୍ଡ ରିଗାନ୍‌ ପ୍ରେସିଡେନ୍ସିଆଲ ଲାଇବ୍ରେରିରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆମେରିକା ମାଟିରେ ହାଉସ୍‌ ସ୍ପିକରଙ୍କୁ ତାଇଓ୍ବାନ୍‌ର କୌଣସି ରାଷ୍ଟ୍ରପତି ଭେଟିବାର ଏହା ହେଉଛି ପ୍ରଥମ ଘଟଣା, ଯାହାକୁ ନେଇ ବେଜିଂ ପ୍ରତିକ୍ରିୟାଶୀଳ ହୋଇଉଠିଛି। ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଆପ୍ୟାୟିତ କରିଥିବା ୨ଟି ସଂସ୍ଥା ଉପରେ ଚାଇନା କଟକଣା ଲଗାଇଛି। ଓ୍ବାଶିଂଟନସ୍ଥିତ ଥିଙ୍କ୍‌ଟ୍ୟାଙ୍କ୍‌ ହୁଡ୍‌ସନ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ରୋନାଲ୍ଡ ରିଗାନ୍‌ ପ୍ରେସିଡେନ୍ସଆଲ ଲାଇବ୍ରେରିକୁ କୌଣସି ପ୍ରକାର ସହଯୋଗ କରାଯିବ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସ୍ବୟଂଶାସିତ ଦ୍ୱୀପ ତାଇଓ୍ବାନ୍‌କୁ ନେଇ ବେଜିଂ ସାଲିସ କରିବ ମନେକରିବା ‘ଇଚ୍ଛାଧୀନ କଳ୍ପନା’ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କହିବାର ଦିନକ ପରେ ଏହି କଟକଣା ଜାରି କରାଯାଇଛି।

Share