ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ଚାଇନା

ବେଜିଂ,୧୬।୯: ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି। ତେବେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ପ୍ରସଙ୍ଗରେ ନୀରବ ଅଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଚାଇନା ଲି’ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ଓ ତାଙ୍କ ବିରୋଧରେ ସିପିସିର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ମଧ୍ୟ କିଛି ଦିନ ହେବ ନିଖୋଜ ଥିଲେ। ପରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ସେହିପରି ଲି’ଙ୍କ ବିରୋଧରେ ତଦନ୍ତ ଚାଲିଛି ଏବଂ ତାଙ୍କୁ ଯେକୌଣସି ସମୟରେ ପଦରୁ ହଟାଇ ଦିଆଯିବ ବୋଲି ଦାବି କରାଯାଉଛି।

ଫାଇନାନ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ଆମେରିକାର ଗୁଇନ୍ଦା ବିଭାଗ ଦାବି କରିଛି ଯେ ଦୁଇ ସପ୍ତାହ ଧରି ନିଖୋଜ ଲି’ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଏପରି ସମୟରେ ନିଆଯାଇଛି ଯେଉଁ ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିକଟରେ ପିଏଲଏ ରକେଟ ଫୋର୍ସର ଦୁଇଜଣ ବରିଷ୍ଠ ଜେନେରାଲଙ୍କୁ ହଟାଇ ଦେଇଛନ୍ତି। ଏହି ତିନିଜଣ ଅଧିକାରୀଙ୍କୁ ସ୍ଥାନୀୟ ସେନା ପିଏଲଏରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା କାରଣ ସେମାନଙ୍କୁ ଚାଇନାର କ୍ଷେପଣାସ୍ତ୍ର ଏବଂ ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ଉପରେ ନଜର ରଖୁଥିଲେ।

ରଏଟର୍ସର ସୂଚନା ଅନୁଯାୟୀ, ନିଖୋଜ ହେବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଲି’ଙ୍କ ପ୍ରତି ଖରାପ ବ୍ୟବହାର କରାଯାଇଥିଲା। ଯେତେବେଳେ ଲି ଭିଏତନାମ ପ୍ରତିରକ୍ଷା ମନ୍ତ୍ରଣାଳୟର ନେତାଙ୍କ ସହ ସାକ୍ଷାତ କରୁଥିଲେ, ତାଙ୍କୁ ବଳପୂର୍ବକ ବୈଠକରୁ ଟାଣି ନିଆଯାଇଥିଲା। ତେବେ ସେତେବେଳେ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ବାହାର କରାଯାଇଥିବା ଚାଇନା ସୂଚନା ଦେଇଥିଲା।

Share