ପାକିସ୍ତାନ ଉପରେ ଚାଇନାର ଭରସା ନାହିଁ

ଇସଲାମାବାଦ,୧୭ା୮: ଅର୍ଥନୈତିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଚାଇନା ବହୁ ବିନିଯୋଗ କରୁଛି। କିନ୍ତୁ ପାକିସ୍ତାନରେ ଚାଇନା କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ତେଣୁ ଚାଇନାର ପାକିସ୍ତାନ ଉପରେ ଭରସା ରହୁନାହିଁ। ଏହି ଦୃଷ୍ଟିରେ ଚାଇନା ନିଜ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ସାମରିକ ପୋଷ୍ଟ ନିର୍ମାଣ କରିବାକୁ ଚାହୁଁଛି।

କୂଟନୈତିକ ସୂତ୍ରରୁ ପ୍ରକାଶ, ଚାଇନା ବିବାଦୀୟ ପାକିସ୍ତାନ-ଆଫଗାନିସ୍ତାନ ଅଞ୍ଚଳରେ ଚାଇନା ପୋଷ୍ଟ ଗଠନ କରିବାକୁ ଚେଷ୍ଟା କରିଛି। ଚାଇନା ଏହି ସ୍ଥାନଗୁଡିକରେ ନିଜର ସାମରିକ ବାହିନୀ ନିୟୋଜିତ କରିବ, ଯଦ୍ୱାରା ଏହାର ନାଗରିକମାନେ ସୁରକ୍ଷିତ ହୋଇପାରିବେ।

ଚାଇନା ପାକିସ୍ତାନରେ କୋଟି କୋଟି ଟଙ୍କା ବିନିଯୋଗ କରିଛି।  ପାକିସ୍ତାନ-ଆଫଗାନିସ୍ତାନ ମାର୍ଗ ଦେଇ ମଧ୍ୟ ଏସିଆରେ ଏହାର ପ୍ରଭାବ ବିସ୍ତାର କରିବାକୁ ଚାଇନା ଉଭୟ ଦେଶରେ ରଣନୀତିକ ପୁଞ୍ଜି ବିନିଯୋଗ କରିଛି। ଏକ ଆକଳନ ଅନୁଯାୟୀ, ପାକିସ୍ତାନରେ ଚାଇନାର ପୁଞ୍ଜି ବିନିଯୋଗ ୬୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି। ଯେଉଁଥିପାଇଁ ପାକିସ୍ତାନ ଆର୍ଥିକ, ସାମରିକ ଏବଂ କୂଟନୈତିକ ସମର୍ଥନ ପାଇଁ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଚାଇନା ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ କରିଛି। ଯେଉଁଠାରେ କି ଚାଇନାର ସଶସ୍ତ୍ର କର୍ମଚାରୀ ନିୟୋଜିତ ହେବେ।

Share