ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ସମାଧାନ ପାଇଁ ଭାରତ ପକ୍ଷରୁ ଅନେକ ଗଠନମୂଳକ ପରାମର୍ଶ ଦିଆଯାଇଥିଲେ ହେଁ ଚାଇନା ତାହାକୁ ଶୁଣି ନ ଥିଲା କିମ୍ବା ନିଜ ଆଡ଼ୁ କୌଣସି ସମାଧାନର ବାଟ ବାହାର କରି ନ ଥିଲା ବୋଲି ଭାରତୀୟ ସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ବୈଠକରେ କୌଣସି ସିଦ୍ଧାନ୍ତ ବାହାରି ନ ଥିଲେ ହେଁ ଚାଇନା ସୀମା ବିବାଦର ସମାଧାନ ନିମନ୍ତେ ଆଗକୁ ବଢ଼ିବ ବୋଲି ଆଶା ଥିବା ସେନା ପକ୍ଷରୁ କୁହାଯାଇଛି।