ଚାଇନାର ଫ୍ରି ଭିସା ସେବା ଆରମ୍ଭ: ତାଲିକାରେ ୬ ଦେଶ…

ବେଜିଂ,୨୫।୧୧ : ଯେଉଁମାନେ ଚାଇନା ଦେଖିବା ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି, କିନ୍ତୁ ଏହି ଖୁସି ଖବର ଭାରତୀୟଙ୍କ ପାଇଁ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ସ୍ପେନ ଏବଂ ମାଲେସିଆର ନାଗରିକଙ୍କ ପାଇଁ। ଯାହାଙ୍କୁ ଫ୍ରି ଭିସା ପ୍ରଦାନ କରିବାକୁ ଚାଇନା ଘୋଷଣା କରିଛି । ମାଗଣା ପ୍ରବେଶ ଅନ୍ତର୍ଗତ ଚାଇନା ସରକାର ଏହି ଦେଶଗୁଡିକର ପର୍ଯ୍ୟଟକମାନଙ୍କୁ ୧୫ ଦିନର ଯାତ୍ରା ବିନା ଭିସାରେ ଆସିବାକୁ ଅନୁମତି ଦେବେ। ଡିସେମ୍ବର ୧ ରୁ ପର୍ଯ୍ୟଟକମାନେ ଏହି ଅଫରର ଲାଭ ଉଠାଇ ପାରିବେ ଏବଂ ଏହା ପରବର୍ତ୍ତୀ ଏକ ବର୍ଷ ପାଇଁ ପ୍ରଯୁଜ୍ୟ ରହିବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୂଚନା ଦେବାବେଳେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ବ୍ରୁନେଇ, ଜାପାନ ଏବଂ ସିଙ୍ଗାପୁରର ନାଗରିକମାନଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ଦିଆଯାଇଥିଲା, କିନ୍ତୁ କରୋନା ଅବଧିରେ ଏହି ଅଫର ବନ୍ଦ ହୋଇଯାଇଥିଲା। ଜୁଲାଇ ୨୦୨୩ରେ ବ୍ରୁନେଇ ଏବଂ ସିଙ୍ଗାପୁର ପାଇଁ ଏହି ସୁବିଧା ପୁଣି ଆରମ୍ଭ କରାଯାଇଥିଲା, କିନ୍ତୁ ଜାପାନ ଏହାର ଲାଭ ପାଇ ପାରି ନ ଥିଲା। ବର୍ତ୍ତମାନ ୫ ଟି ୟୁରୋପୀୟ ଦେଶ ଏବଂ ମାଲେସିଆ ପାଇଁ ଭିସା ମୁକ୍ତ ପ୍ରବେଶ ସେବା ଆରମ୍ଭ ହୋଇଛି, କାରଣ ଚାଇନା ଦେଶରେ ବ୍ୟବସାୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି।

 

Share