Categories: ଜାତୀୟ

ମେ’ ଆରମ୍ଭରୁ ଏଲ୍‌ଏସିରେ ସୈନ୍ୟ ଠୁଳ କରିଥିଲା ଚାଇନା

ନୂଆଦିଲ୍ଲୀ,୨୬ା୬(ପି.ଟି.):ମେ’ ଆରମ୍ଭରୁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ବ୍ୟାପକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିଥିଲା ଏବଂ ସମସ୍ତ ଦ୍ୱିପାକ୍ଷିକ ନିୟମାବଳୀକୁ ଉପେକ୍ଷା କରିଆସୁଥିଲା ବୋଲି ଭାରତ କହିଛି। ପୂର୍ବ ଲଦାଖରେ ମୁହାଁମୁହିଁ ସ୍ଥିତି ଲାଗି ଭାରତ ବେଜିଂକୁ ଦାୟୀ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମେ’ ଆରମ୍ଭରୁ ଗଲଓ୍ବାନ ଉପତ୍ୟକା ଅଞ୍ଚଳରେ ଭାରତର ସ୍ବାଭାବିକ ତଥା ପାରମ୍ପରିକ ପାଟ୍ରୋଲିଂକୁ ଚାଇନା ବାଧା ଦେଇଥିଲା। ମେ’ ମଧ୍ୟଭାଗରେ ସେମାନେ ଉକ୍ତ ଅଞ୍ଚଳର ସ୍ଥିତାବସ୍ଥାରେ ପରିବର୍ତ୍ତନ କରିବାକୁ ଚାହିଁଥିଲେ। ଚାଇନାର ଏଭଳି କାର୍ଯ୍ୟକୁ ବିରୋଧ କରି ଭାରତ ଉଭୟ କୂଟନୈତିକ ଓ ସାମରିକ ଚ୍ୟାନେଲରେ ପ୍ରତିବାଦ ଜଣାଇଥିଲା। ଜୁନ୍‌ ୬ରେ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନାବେଳେ ଏଲ୍‌ଏସିରୁ ସୈନ୍ୟ ହଟାଇବା ଓ ଉତ୍ତେଜନା ହ୍ରାସ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ। ତେବେ ଚାଇନା ପକ୍ଷ ବୁଝାମଣାରୁ ଓହରିଯାଇ ଗଲଓ୍ବାନ ଉପତ୍ୟକାରେ ନିର୍ମାଣ ଉଦ୍ୟମ କରିଥିଲା। ନିର୍ମାଣ ଉଦ୍ୟମ ବିଫଳ ହେବାରୁ ଜୁନ୍‌ ୧୫ରେ ଚାଇନା ସୈନ୍ୟ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଉଭୟ ପକ୍ଷରୁ ବହୁ ସୈନ୍ୟ ମୃତାହତ ହୋଇଥିଲେ। ଏହା ପରେ ଦୁଇଦେଶ ସୀମାରେ ଅଧିକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିଛନ୍ତି। ଏଥିସହିତ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି।

Share