ଚାଇନା ଚିନ୍ତା ବଢ଼ାଇଛି ଡେଲ୍ଟା

ବେଜିଂ, ୧୬ା୧୧: କରୋନାର ସବୁଠୁ ମାରାତ୍ମକ ଡେଲ୍ଟା ଭାରିଆଣ୍ଟ ଚାଇନାର ଚିନ୍ତା ବଢ଼ାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୧୩୦୮ ମାମଲା ଚିହ୍ନଟ କରାଯାଇଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତରପୂର୍ବର କେତେକ ସହରରେ ଲକ୍‌ଡାଉନ ଭଳି କଟକଣା ଲଗାଯାଇଛି। ଗତ ସପ୍ତାହଠାରୁ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ମୋଟ ୧,୨୮୦ ମାମଲା ସାମ୍‌ନାକୁ ଆସିଥିବାବେଳେ ଏବେ କମ୍‌ ସମୟ ମଧ୍ୟରେ ସଂକ୍ରମଣ ଏହି ସଂଖ୍ୟାକୁ ଅତିକ୍ରମ କରିଛି। ଏ ପର୍ଯ୍ୟନ୍ତ ଚାଇନାରେ ୯୮,୩୧୫ ମାମଲା ଚିହ୍ନଟ ହୋଇଛି। ଏଥିସହ ମୋଟ ୪,୬୩୬ ମୃତ୍ୟୁ ରେକର୍ଡ କରାଯାଇଛି।
ଟି ପ୍ରଦେଶରେ ଡେଲ୍ଟା ଭାରିଆଣ୍ଟ କେସ୍‌ ସାମ୍‌ନାକୁ ଆସିଛି। ଚାଇନା ସରକାର ଏହାକୁ ଗମ୍ଭୀରତାର ସହ ନେଇ ସଂକ୍ରମିତଙ୍କ ନମୁନା ପରୀକ୍ଷା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରିବା ସହ ସେଠାରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ, ଜନଗହଳି, ଅତ୍ୟାବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସାଧାରଣ ପରିବହନକୁ ମଧ୍ୟ ବାରଣ କରାଯାଇଛି। ଉତ୍ତରପୂର୍ବ ସହର ଡାଲିଆନ୍‌ରେ ଗତ ୪ ତାରିଖରେ ପ୍ରଥମେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହେବା ପରେ ସେଠାରେ କଟକଣା କଡ଼ାକଡ଼ି କରାଯାଇଛି। ସେଠାରୁ ଦିନକୁ ପ୍ରାୟ ୨୪ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଡାଲିଆନ ନିକଟ ସହର ଡାନ୍‌ଡୋଙ୍ଗ୍‌, ଅନ୍‌ସାନ୍‌, ଶେନ୍‌ୟାଙ୍ଗ ଆଦିରେ ମଧ୍ୟ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଡାଲିଆନ୍‌ରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।

 

Share