ନେପାଳକୁ ଚାଇନାର ନାଲିଆଖି…

କାଠମାଣ୍ଡୁ, ୧୪।୧୨: ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର କମ୍ୟୁନିଷ୍ଟ ସରକାର ନିଜର ହସ୍ତକ୍ଷେପ ନୀତି ଜାରି ରଖିଛନ୍ତି। ଏବେ ଚାଇନା ନେପାଳକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି। ମଙ୍ଗଳବାର ଠାରୁ ନେପାଳରେ ସଂସଦ ଅଧିବେଶନ ହେଉଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଚାଇନା ଖୋଲାଖୋଲି ଭାବେ ନେପାଳର ରାଜନୈତିକ ଦଳଗୁଡ଼ିକ ଉପରେ ଚାପ ପକାଇଛି ଯେ ଆମେରିକୀୟ ପ୍ରୋଜେକ୍ଟ ଏମସିସି ବିଲ ସଂସଦରେ ପାରିତ ହେବାକୁ ଯେପରି ଦିଆ ନ ଯାଏ।

କୌଣସି ପରିସ୍ଥିତିରେ ଏମସିସି ବିଲ ପାସ ନ କରିବାକୁ ଶାସକ ଦଳଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାମାନଙ୍କୁ ପରୋକ୍ଷ ନିର୍ଦ୍ଦେଶ ଦିଆଯାଇଛି। ଚାଇନାର କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବିଭାଗର ଡେପୁଟି ମନ୍ତ୍ରୀ ଚେନ ଝୋ ଭିଡିଓ କନଫରେନ୍ସ ଜରିଆରେ ନେପାଳର ରାଜନୈତିକ ଦଳଗୁଡ଼ିକ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।

ନେପାଳର ସରକାରୀ ଖବର ଏଜେନ୍ସି ପ୍ରକାଶ କରିଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବିଭାଗର ଡେପୁଟି ମନ୍ତ୍ରୀ ଏକ ଭିଡିଓ କନଫରେନ୍ସ କରି ନେପାଳର ମୁଖ୍ୟ ବିରୋଧୀ ଦଳ ନେକପା ଏମାଲେର ମହାସଚିବଙ୍କୁ ସୋମବାର ବିଳମ୍ବିତ ରାତିରେ ଏମସିସିର ପୁନର୍ବିଚାର କରିବାକୁ କହିଛନ୍ତି। ନ୍ୟୁଜ ଏଜେନ୍ସି ରାଷ୍ଟ୍ରୀୟ ସମାଚାର ସମିତି ଅନୁଯାୟୀ ଚାଇନାର ଡେପୁଟି ମନ୍ତ୍ରୀ ଚେନ ଝୋ ବିରୋଧୀ ଦଳର ମହାସଚିବ ଶଙ୍କର ପୋଖରେଲଙ୍କୁ କହିଛନ୍ତି ଯେ ସେ ଶାସକ ଦଳ ନେପାଳ କଂଗ୍ରେସ, ମାଓବାଦୀ, ୟୁନିଫାଏଡ ସମାଜବାଦୀ ତଥା ଜନତା ସମାଜବାଦୀ ଦଳର ନେତାଙ୍କ ସହ ଆଲୋଚନା କରି ସାରିଛନ୍ତି।

ଚାଇନାର ଉପମନ୍ତ୍ରୀ ଦାବି କରିଛନ୍ତି ଯେ ଶାସକ ଦଳ ତାଙ୍କ ସହ ସହମତ ଏବଂ ବିରୋଧୀ ଦଳ ଭାବରେ ନେକପା ଏମାଲେକୁ ମଧ୍ୟ ଏହା ଉପରେ ବିଚାର କରିବା ଉଚିତ।

ଚାଇନାର ଚାପରେ ଆମେରିକାର ପ୍ରକଳ୍ପ ୫ ବର୍ଷ ଧରି ଅଟକି ରହିଛି। ମଙ୍ଗଳବାର ଠାରୁ ସଂସଦରେ ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ଏମସିସି ସହ ଜଡିତ ଏକ ବିଲ ଆଗତ କରିବାର ଯୋଜନା କରାଯାଇଛି। ଆମେରିକା ନେପାଳକୁ କହିଛି ଯେ ଯଦି ସଂସଦର ଚଳିତ ଅଧିବେଶନରେ ଏହି ୫୦୦ ମିଲିୟନ ଡଲାରର ପ୍ରକଳ୍ପ ପାରିତ ନ କରାଯାଏ ତେବେ ଏହାକୁ କୌଣସି ଆଫ୍ରିକୀୟ ଦେଶକୁ ନିଆଯିବ।

ଯଦିଓ ନେପାଳ କଂଗ୍ରେସ, ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୂର ଦେଓବାଙ୍କ ଦଳ ଏହି ବିଲ୍‌ ସମର୍ଥନ କରୁଛି। କିନ୍ତୁ ସେମାନଙ୍କର ସହଯୋଗୀ ମାଓବାଦୀ, ୟୁନିଫାଏଡ ସମାଜବାଦୀ ପାର୍ଟି ଏବଂ ଜନତା ସମାଜ ପାର୍ଟି ଏହାକୁ ବିରୋଧ କରୁଛନ୍ତି। ଏହି ତିନୋଟି ଦଳ ଚାଇନାର କମ୍ୟୁନିଷ୍ଟ ପାର୍ଟି ସହିତ ଭଲ ସମ୍ପର୍କ ରଖିଛନ୍ତି।

ନେପାଳର ସଂସଦର ଗଣିତ ଏପରି ଯେ ଯଦି କେ.ପି.ଓଲିଙ୍କ ଦଳ ଏମସିସି ଉପରେ ସକାରାତ୍ମକ ମନୋଭାବ ରଖିଛି। ଓଲିଙ୍କ ଦଳ ସମର୍ଥନ କଲେ ଏମସିସି ପାରିତ ହେବ ମାତ୍ର ଏହା ଦ୍ୱାରା ବର୍ତ୍ତମାନର ଶାସକ ମେଣ୍ଟ ଭାଙ୍ଗିଯିବ। ଯାହା ଚୀନ ଚାହୁଁନାହିଁ। ସେଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ଚାଇନା ନେପାଳର ରାଜନୈତିକ ଦଳ ଉପରେ ଚାପ ପକାଇଛି।

Share