୩ ରିମୋଟ୍‌ ସେନ୍ସିଂ ଉପଗ୍ରହ ପଠାଇଲା ଚାଇନା

ବେଜିଂ, ୭ା୧୧: ୟାଓଗାନ୍‌-୩୫ ଶ୍ରେଣୀର ୩ ରିମୋଟ୍‌ ସେନ୍ସିଂ ଉପଗ୍ରହକୁ ଚାଇନା ଶନିବାର ମହାକାଶକୁ ପ୍ରେରଣ କରିଛି। ଲଙ୍ଗ୍‌ ମାର୍ଚ୍ଚ-୨ଡି କ୍ୟାରିୟର ରକେଟ୍‌ ଯୋଗେ ଏହି ୩ ସାଟେଲାଇଟ୍‌କୁ ପୃଥିବୀ କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିବା ବେଜିଂ ପକ୍ଷରୁ କୁହାଯାଇଛି। ଲଙ୍ଗ୍‌ ମାର୍ଚ୍ଚ ସିରିଜ୍‌ କ୍ୟାରିୟର ରକେଟ୍‌ର ଏହା ହେଉଛି ୩୯୬ତମ ଅଭିଯାନ। ୧୯୭୦ରୁ ଚାଇନାର ପ୍ରମୁଖ ସ୍ପେସ୍‌ ପ୍ରୋଗ୍ରାମର ଅଂଶୀଦାର ଲଙ୍ଗ୍‌ ମାର୍ଚ୍ଚ-୩ବି ରକେଟ୍‌ ଯୋଗେ ୨୦୧୯ ମାର୍ଚ୍ଚରେ ଚାଇନା ନୂତନ କମ୍ୟୁନିକେଶନ ବା ଯୋଗାଯୋଗ ଉପଗ୍ରହକୁ କକ୍ଷପଥରେ ସଫଳତାର ସହ ସ୍ଥାନିତ କରି ଏହାର ୩୦୦ ତମ ଉତ୍‌କ୍ଷେପଣ ସମାପ୍ତ କରିଥିଲା। ଚାଇନା ଏରୋସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି କର୍ପୋରେଶନ ଦ୍ୱାରା ବିକଶିତ ହୋଇଥବା ଲଙ୍ଗ୍‌ ମାର୍ଚ୍ଚ କ୍ୟାରିୟର ରକେଟ୍‌ ଏ ପର୍ଯ୍ୟନ୍ତ ହୋଇଥିବା ସ୍ପେସ୍‌ ମିଶନରେ ୯୬.୪ ପ୍ରତିଶତ ସଫଳତା ହାସଲ କରିଛି। ପ୍ରଥମ ଶହେ ସାଟେଲାଇଟ୍‌ ଲଞ୍ଚ୍‌ ପାଇଁ ଏହା ୩୭ ବର୍ଷ ସମୟ ନେଇଥିଲା। ପରେ ଦ୍ୱିତୀୟ ଶହେ ଅଭିଯାନ ପାଇଁ ମାତ୍ର ୭.୫ ବର୍ଷ ଲାଗିଥିଲା। ସେହିପରି ଶେଷ ଶହେ ମିଶନ ସମ୍ପୂର୍ଣ୍ଣ କରିବାକୁ ଏହା ମାତ୍ର ୪ ବର୍ଷ ସମୟ ନେଇଛି।

 

Share