Categories: ଜାତୀୟ

‘ଚାଇନାକୁ ବହୁମୂଲ୍ୟ ଦେବାକୁ ପଡ଼ିବ’

ନୂଆଦିଲ୍ଲୀ,୨୮ା୬: ଭାରତୀୟ ଭୂଖଣ୍ଡର ପୂର୍ବ ଲଦାଖ ଅଞ୍ଚଳରେ ଚାଇନାର ଆକ୍ରମଣାତ୍ମକ ସୈନ୍ୟ ଦୁଃସାହସ ଯୋଗୁ ବହୁମୂଲ୍ୟ ଦେବାକୁ ପଡ଼ିବ ଓ ବିଶ୍ୱରେ ଏକଘରକିଆ ହୋଇଯିବ ବୋଲି କୂଟନୈତିକ ବ୍ୟାପାର ସଂକ୍ରାନ୍ତୀୟ ବିଶେଷଜ୍ଞମାନେ ଶନିବାର ମତବ୍ୟକ୍ତ କରିଛନ୍ତି। ଗତ କିଛିମାସ ହେବ ପୂର୍ବ ଲଦାଖ ଓ ଦକ୍ଷିଣ ଚାଇନା ସ୍ଥିତି ବେଜିଂର ପ୍ରକୃତ ମୁଖା ଖୋଲିଦେଇଛି। ସାରା ବିଶ୍ୱ କରୋନା ଭାଇରସ୍‌ ସହ ଲଢ଼ୁଥିବା ବେଳେ ଚାଇନା ସେନାର ଏଭଳି ଦୁଃସାହସିକ କାର୍ଯ୍ୟ ମହଙ୍ଗା ପଡ଼ିବ ବୋଲି ସେମାନେ କହିଛନ୍ତି। ଆମେରିକା ସହ ଟାରିଫ ଯୁଦ୍ଧ, ବାଣିଜି୍ୟକ ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ସହ କଳହ ଓ ହଂକଂରେ ବିଗିଡ଼ିଥିବା ସ୍ଥିତି ଚାଇନାକୁ ବ୍ୟାପକ କ୍ଷତି ପହଞ୍ଚାଇବ।
ଜୁନ୍‌ ୧୫ରେ ଗଲଓ୍ବାନ୍‌ ଉପତ୍ୟକାରେ ୨୦ ଭାରତୀୟ ଯବାନ ଶହୀଦ ହେବା ଦ୍ୱାରା ଭାରତ ସହ ଚାଇନାର ଥିବା ସୁସମ୍ପର୍କ ଛିନ୍ନ ହୋଇଛି। ପୂର୍ବତନ ସେନା ଉପମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଗୁରମିତ୍‌ ସିଂ ଚାଇନାର ଅସଲ ମୁଖା ଖୋଲିଯାଇଛି ଓ ଏଥିଲାଗି ଦଶନ୍ଧି ଦଶନ୍ଧି ଧରି ତାକୁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଛନ୍ତି। ପିଏଲ୍‌ଏର ଏଭଳି ଆକ୍ରମଣାତ୍ମକ ମନୋଭାବ ଯୋଗୁ ଚରଇନା ଏକୁଟିଆ ହୋଇଯିବା ଆଶଙ୍କା ଅଧିକ ରହିଛି ବୋଲି ପୂର୍ବତନ ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ସୁବ୍ରତ ଶାହା କହିଛନ୍ତି। ଏଥିଲାଗି ଅର୍ଥନୈତିକ ଓ କୂଟନୈତିକ କ୍ଷେତ୍ରରେ ଚାଇନା ଅସୁବିଧା ଭୋଗିବା ଆଶଙ୍କା ଅଧିକ। ହଂକଂ, ଦକ୍ଷିଣ ଚାଇନା ସାଗର ଓ ପୂର୍ବ ଚାଇନା ସାଗରରେ ଦେଖାଦେଇଥିବା ବିବାଦରେ ବିଶ୍ୱ ମହାଶକ୍ତିମାନେ ମୁଣ୍ଡ ପୂରାଇ ଚାଇନାକୁ ଏକଘରକିଆ କରିଦେବାର ଆଶଙ୍କା ମଧ୍ୟ ରହିଛି।
ଗତ ୬ ସପ୍ତାହ ହେବ ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଭାରତ ଓ ଚାଇନା ସେନା ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗଲଓ୍ବାନ୍‌ ଉପତ୍ୟକାରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦ ଭାରତୀୟ ଯବାନ ଶହୀଦ ହେବା, ଏଲ୍‌ଏସିରେ ଥିବା ବେସ୍‌ କ୍ୟାମ୍ପ ନ ହଟାଇବା, ବାରମ୍ବାର ଆଲୋଚନା ସତ୍ତ୍ୱେ ଚାଇନା ନିଜ ଜିଦ୍‌ରେ ରହିବା ଯୋଗୁ ସୀମାରେ ଯୁଦ୍ଧସମ ପରିସ୍ଥିତି ଦେଖାଦେଇଛି। ଏଲ୍‌ଏସିକୁ ଭାରତ ଅତିରିକ୍ତ ସେନା ପଠାଇବା ଆରମ୍ଭ କରିଛି। ଅରୁଣାଞ୍ଚଳ ପ୍ରଦେଶ, ସିକିମ, ଉତ୍ତରାଖଣ୍ଡର ବିଭିନ୍ନ ସେକ୍ଟରକୁ ହଜାର ହଜାର ସେନା ପଠାଯାଉଛି। ସେହିଭଳି ଲେହ, ଶ୍ରୀନଗର ଭଳି ସୀମାଞ୍ଚଳରେ ଥିବା ପ୍ରମୁଖ ବାୟୁସେନା ଘାଟିକୁ ଜାଗୁଆର, ସୁଖୋଇ ୩୦, ମିରେଜ୍‌ ୨୦୦୦ ବିମାନ ସହ ଆପାଚେ ଲଢ଼ୁଆ ହେଲିକପ୍ଟର ପଠାଯାଇଛି। ଯଦିଓ ଏ ସମ୍ପର୍କରେ ୩ ଥର ଆଲୋଚନା କରାଯାଇଛି ଓ ଆଲୋଚନା ମାଧ୍ୟମରେ ସୀମାରେ ଶାନ୍ତିରକ୍ଷା କରାଯିବା ଉପରେ ଉଭୟ ଦେଶ ଗୁରୁତ୍ୱାରୋପ କରୁଛନ୍ତି, ତଥାପି ଚାଇନାର ବିଶ୍ୱାସଘାତକତା ଓ ଆକ୍ରମଣାତ୍ମକ ମନୋଭାବ ପରିସ୍ଥିତିକୁ ସରଗରମ କରି ରଖିଛି।

Share