ପାକିସ୍ତାନକୁ ସହାୟତା ଦେଲା ଚାଇନା

ଇସଲାମାବାଦ୍‌,୨୨।୨: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ବାକି ଅଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦେଶିକ ମନ୍ତ୍ରଣାଳୟକୁ ବିଦେଶରେ ମିଶନ, କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଏବଂ ଖର୍ଚ୍ଚ ୧୫ ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଇଶାକ ଦାର ଦାବି କରିଛନ୍ତି, ତାଙ୍କର ସର୍ବକାଳୀନ ବନ୍ଧୁ ଚାଇନା ଦ୍ୱାରା ୭୦୦ ମିଲିୟନ ଡଲାରର ଋଣ ଅନୁମୋଦନ ହୋଇଛି।
ସେ ଟୁଇଟ କରି କହିଛନ୍ତି, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ବୋର୍ଡ ପାକିସ୍ତାନକୁ ୭୦୦ ମିଲିୟନ ଡଲାରର ସୁବିଧା ଅନୁମୋଦନ କରିଛି। ଏହି ଟଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଏସବିପିରେ ପହଞ୍ଚିବ ବୋଲି ଆଶା କରାଯାଉଛି ଯାହା ଦ୍ୱାରା ଏହାର ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବ।

Share