ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ବାଧା ଦେଲା ଚାଇନା

ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଟିମ୍କୁ‌ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ଚାଇନା ଯିବା ଲାଗି ଭିଜା ମିଳିନାହିଁ। ଉହାନରେ କରୋନା ମହାମାରୀ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍‌ କରିବାକୁ ଯାଉଥିବା ଡବ୍ଲ୍ୟୁଏଚ୍‌ଓ ଟିମ୍‌ ଲାଗି ଆବେଦନ କରାଯାଇଥିବା ଭିଜାକୁ ସ୍ବୀକୃତି ମିଳି ନ ଥିବା ଅଭିଯୋଗ ହୋଇଛି। ଟିମ୍‌ର କେତେକ ସଦସ୍ୟ ବାଟରେ ଅଟକି ରହିଛନ୍ତି। ଚାଇନାର ଏଭଳି ମନୋଭାବ ନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଅଧାନୋମ୍‌ ଘ୍ରେବ୍ରେୟିସସ୍‌ ବିରକ୍ତି ପ୍ରକାଶ କରିଛନ୍ତି। ଏପରି କରି ଚାଇନା ସତ୍ୟ ଲୁଚାଇବାର ଉଦ୍ୟମ କରୁଥିବା କୁହାଯାଉଛି। ଉହାନରୁ କରୋନା ମହାମାରୀ ସୃଷ୍ଟି ହୋଇଥିବା ନେଇ ଆମେରିକା ସମେତ ଅନ୍ୟ କେତେକ ଦେଶ ପକ୍ଷରୁ ଅଭିଯୋଗ ହୋଇଥିଲା। ମାତ୍ର ଏହାକୁ ଚାଇନା ସରକାର ଖଣ୍ଡନ କରିଥିଲେ। ଏହାର ଯାଞ୍ଚ୍‌ ପାଇଁ ଡବ୍ଲ୍ୟୁଏଚ୍‌ଓ ୧୦ ଜଣିଆ ଅନ୍ତର୍ଜାତୀୟ ଟିମ୍‌ ଗଠନ କରିଥିଲା। ତେବେ ଚାଇନା ଟିମ୍‌ ସଦସ୍ୟଙ୍କୁ ଶେଷ ମୂହୁର୍ତ୍ତରେ ଭିଜା ସ୍ବୀକୃତି ଦେବାକୁ ଟାଳଟୁଳ ନୀତି ଗ୍ରହଣ କରୁଥିବା ଅଭିଯୋଗ ହୋଇଛି।

Share