ନୟାଗଡ଼ରୁ ନିଶ୍ଚିହ୍ନ ହେବାକୁ ବସିଛି ଚିନିକଳ

ନୟାଗଡ଼ ଅଫିସ,୧୦।୯ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳକୁ ଜାଣିଶୁଣି ଚୋର ହାତକୁ ଟେକି ଦେଲା ପ୍ରଶାସନ। ଚିନିକଳରୁ ବିଭିନ୍ନ ଯନ୍ତ୍ରାଂଶ ବାରମ୍ବାର ଚୋରି ହେଉଥିବାବେଳେ ପ୍ରଶାସନ ଆଖି ବୁଜି ଦେଇଥିଲା । ୪ ବର୍ଷ ଧରି ଏପରି ଚୋରି ଲାଗି ରହିଛି। ଚିନିକଳର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୨୦୨୧ ଜାନୁୟାରୀରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ଜାଗି ଉଠିଥିଲା। ତତ୍‌କାଳୀନ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ.ଡି. ଧନରାଜ ଅଚାନକ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଥିଲେ । ଚିନିକଳରୁ ଚୋରି ରୋକିବାକୁ ଚିନିକଳ ପରିସରରେ ସିସିଟିଭି କ୍ୟାମେରା ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ୨୧ ହଜାର ବ୍ୟୟରେ ସିସିଟିଭି ଲାଗିଥିଲା । ସେହିପରି ଚିନିକଳକୁ ପଡିଥିବା ସମସ୍ତ ରାସ୍ତା ବନ୍ଦ କରି କେବଳ ଗୋଟିଏ ରାସ୍ତା ରହିଥିଲା। ପୁଣି ଚିନିକଳ ପରିସର ଆଲୋକିତ ହୋଇଥିଲା । କେତେଜଣ ହୋମଗାର୍ଡ ମନଇଚ୍ଛା ଆସି ସୁରକ୍ଷା ଦେଇଥିଲେ । କିଛି ମାସ ପରେ ସୁରକ୍ଷା ଢ଼ିଲା ହୋଇଗଲା । ସିସିଟିଭି ଚୋରି ହୋଇଗଲା । ସଂପୃକ୍ତ ଅଧିକାରୀଙ୍କ ବଦଳି ହୋଇଗଲା । ଚୋରଙ୍କୁ ପୁଣି ଅଧିକ ସୁଯୋଗ ମିଳିଲା । ସୂଚନାଯୋଗ୍ୟଯେ, ୧୯୯୮ରେ ସ୍ଥାପିତ ଏହି ଚିନିକଳରେ ୨୦୧୫ରୁ ତାଲା ଝୁଲୁଛି ।
ବୁଡ଼ିଗଲା ବ୍ୟାଙ୍କ ଋଣ, ଆଖୁଚାଷୀଙ୍କ ପ୍ରାପ୍ୟ : ଚିନିଶିଳ୍ପ ଉପରେ ୩ଟି ବ୍ୟାଙ୍କର ୨୫ କୋଟି ଟଙ୍କା ଋଣ ରହିଛି । ସେହିପରି ଆଖୁଚାଷୀଙ୍କ ପ୍ରାପ୍ୟ ୪କୋଟି ଟଙ୍କା, ଶ୍ରମିକ ଓ କର୍ମଚାରୀଙ୍କ ମଜୁରୀ ବାବଦରେ ୬କୋଟି ଟଙ୍କା ବାକି ଅଛି। ଏଭଳିସ୍ଥଳେ ଚିନିକଳକୁ ପ୍ରଶାସନ ସୁରକ୍ଷା ଦେଇ ନ ପାରିବାରୁ ଆଖୁଚାଷୀ, ଚିନିକଳ ଶ୍ରମିକ ଓ କର୍ମଚାରୀ ଓ ବ୍ୟାଙ୍କ ସେମାନଙ୍କ ଟଙ୍କା କେମିତି ପାଇବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ନୟାଗଡ଼ ଚିନିକଳ କୋର୍ଟ କଚେରୀରେ ଫସି ରହିଛିି । ନୟାଗଡ଼ ସୁଗାର ଫ୍ୟାକ୍ଟ୍ରି ୧୪୭୧କୋଟି ଟଙ୍କାର କ୍ଷତିପୂରଣ ସରକାରଙ୍କଠାରୁ ଦାବି କରିଥିବା ନିକଟରେ ସମବାୟ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ। ଏ ବାବଦ ମାମଲା କ’ଣ ହେଲା ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୧୨ରେ ଜିଲା ପ୍ରଶାସନ ଚିନିକଳର ଆକଳନ କରି ସିଲ୍‌ କରିଥିଲା । ସିଲ୍‌ ପରେ ସୁରକ୍ଷାକୁ ଆଦୌ ଧ୍ୟାନ ଦେଇ ନ ଥିବାରୁ ଚିନି କଳ ଧ୍ୱଂସ ପାଇବାକୁ ବସିଛି । ନୟାଗଡ଼ ପୁଣି ଶିଳ୍ପ ବିହିନ ଜିଲାରେ ପରିଣତ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି । ତଥାପି ନୟାଗଡ଼ରେ ଆଉ ଏକ ଚିନିଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆ ଯାଇନାହିଁ।