Categories: ଜାତୀୟ

ରୁତୋଗରେ ଶିବିର ନିର୍ମାଣ କରୁଛି ଚାଇନା

ଲଦାଖ,୨୩।୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ଜାରି ରହିଥିବା ସୀମା ବିବାଦ ନେଇ ଆଲୋଚନା ପରେ ଦୁଇପକ୍ଷ ପଛକୁ ହଟିବାକୁ ନିଷ୍ପତ୍ତି ହୋଇଥିଲା। ଭାରତ ଏହାକୁ ପାଳନ କରିଥିବାବେଳେ ଚାଇନା ବିବାଦୀୟ ଅଞ୍ଚଳରୁ ହଟି ଏବେ ରୁତୋଗଠାରେ ସୈନ୍ୟ ଶିବିର ନିର୍ମାଣ କରୁଛି। ଉପଗ୍ରହ ଦ୍ୱାରା ଉତ୍ତୋଳିତ କରାଯାଇଥିବା ଚିତ୍ରରୁ ଏହା ଜଣାପଡ଼ିଛି। ଗୋଟିଏ ପଟେ ଶାନ୍ତିର କଥା କହୁଥିବା ଚାଇନାର ଏଭଳି କାର୍ଯ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନା ପୈଙ୍ଗାଙ୍ଗ୍‌ ହ୍ରଦଠାରୁ ସୈନ୍ୟଙ୍କୁ ହଟାଇ ନେଇ ଏବେ ଏହାର ପୂର୍ବରେ ରଖିବାର ଉଦ୍ୟମ କରୁଛି। ପୈଙ୍ଗାଙ୍ଗ୍‌ ହ୍ରଦଠାରୁ ଏହି ଶିବିର ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଛି। ୨୦୧୯ଠାରୁ ଏହି ଅଞ୍ଚଳରେ ଚାଇନାର ସୈନ୍ୟ ଗତିବିଧି ବୃଦ୍ଧି ପାଇଛି। ଏଠାରେ ଚାଇନା ରାଡ଼ାର, କ୍ଷେପଣାସ୍ତ୍ର, ହେଲିପ୍ୟାଡ୍‌, ଟ୍ୟାଙ୍କ୍‌ ଆଦି ମହଜୁଦ୍‌ ରଖିଛି। ଏଠାରେ ଛୋଟ ଛୋଟ କୁଡ଼ିଆ ଘର ତିଆରି କରାଯାଇ ପୈଙ୍ଗାଙ୍ଗ୍‌ରୁ ଫେରିଥିବା ସୈନ୍ୟଙ୍କୁ ଅଟକାଇ ରଖାଯାଇଛି। ୨୦୨୦ ମେ’ରେ ଅକ୍ସାଇ ଅଞ୍ଚଳରେ ଚାଇନା କେତେକ ନିର୍ମାଣ କାର୍ଯ୍ୟ କରିଥିଲା। ଏଭଳି ନିର୍ମାଣ ଦ୍ୱାରା ଭବିଷ୍ୟତରେ ଏଲ୍‌ଏସି ଅଞ୍ଚଳରେ ସାମରିକ କାର୍ଯ୍ୟ ସହଜ ହେବ ବୋଲି ଚାଇନା ଚିନ୍ତା କରୁଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share