Categories: ଜାତୀୟ

ବିଦେଶରେ ବନ୍ଦର ନେଟ୍‌ଓ୍ବର୍କ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୧୯।୧୧: ଚାଇନା ଏହାର ଆର୍ଥତ୍କ କ୍ଷମତା ବୃଦ୍ଧି ସହ ନୌସାମର୍ଥ୍ୟର ଉପସ୍ଥିତି ବଢ଼ାଇବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ଦରିଆପାରି ବନ୍ଦରଗୁଡ଼ିକ ଉପରେ ଚାଇନାର ନିୟନ୍ତ୍ରଣକୁ ଚିହ୍ନଟ କରିଥିବା ଏକ ରିପୋର୍ଟ କାଉନ୍‌ସିଲ୍‌ ଅନ୍‌ ଫରେନ୍‌ ରିଲେଶନ୍ସ (ସିଏଫୃର୍‌) ପ୍ରକାଶ କରିଛି। ସେଥିରୁ କେତେକ ବନ୍ଦରରେ ନୌସେନା ଘାଟିକୁ ଦ୍ୱିଗୁଣିତ କରିବା ସାମର୍ଥ୍ୟ ରହିଛି। ଆଣ୍ଟାର୍କଟିକାକୁ ବାଦ୍‌ ଦେଲେ ପ୍ରତି ମହାଦେଶରେ ବେଜିଂ ଅନୂ୍ୟନ ଗୋଟିଏ ବନ୍ଦର ପରିଚାଳନା କରୁଛି କିମ୍ବା ଏହାର ମାଲିକାନାରେ ରହିଛି। ଗତ ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଚାଇନା ୧୦୧ଟି ବନ୍ଦର ପ୍ରକଳ୍ପ ସହ ସମ୍ପୃକ୍ତ ରହିଛି। ସେଥିରୁ ବର୍ତ୍ତମାନ ୯୨ଟି କାର୍ଯ୍ୟକ୍ଷମ ରହିଛି। ୨୦୧୩ରେ ଚାଇନା ଏହାର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ଆରମ୍ଭ କରିବା ପରେ ବନ୍ଦର ନେଟ୍‌ଓ୍ବର୍କ ବଢ଼ାଇଚାଲିଛି। ବେଜିଂ ଏପର୍ଯ୍ୟନ୍ତ ୬୬ଟି ଦେଶ ଓ ଅଞ୍ଚଳ ସହ ୭୦ଟି ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ଜାହାଜ ଚଳାଚଳ ଚୁକ୍ତିନାମା ସ୍ବାକ୍ଷର କରିଛି। ଆମେରିକା ଭଳି ଚାଇନା ନୌସେନା ସୁପରପାଓ୍ବାର ହୋଇ ନ ଥିଲେ ମଧ୍ୟ ଏକ ବ୍ୟବସାୟିକ ମହାଶକ୍ତି ହେବା ଉପରେ ଗୁରୁତ୍ୱ ଦେଉଛି। ତେବେ ଏହି ଦରିଆପାରି ବନ୍ଦର ମଧ୍ୟରୁ କେତେକକୁ ବେଜିଂ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରେ କି ବୋଲି ପ୍ରଶ୍ନ ଉଠିଛି।

Share