ପୁଣି କରୋନା ତଥ୍ୟ ଲୁଚାଉଛି ଚାଇନା

ବେଜିଂ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡିଛି। ଡାକ୍ତରଖାନାରେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଆଉ ବେଡ୍‌ ମିଳୁନାହିଁ। ଦିନକୁ ଦିନ ନୂଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏକ ଆକଳନ ଅନୁଯାୟୀ, ବର୍ତ୍ତମାନ ଚାଇନାରେ ୫୪ ଲକ୍ଷରୁ ଅଧିକ କରୋନା ରୋଗୀ ଅଛନ୍ତି। କିନ୍ତୁ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ପରି ଏଥର ମଧ୍ୟ ଚାଇନା ସରକାର କରୋନା ତଥ୍ୟ ଲୁଚାଉଛନ୍ତି। ଚାଇନା ଶୂନ କୋଭିଡ ନୀତି ପ୍ରତ୍ୟାହାର କରିବା ଦିନଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନୂତନ ରୋଗୀଙ୍କ ବିଷୟରେ କୌଣସି ତଥ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)କୁ ପଠାଇ ନାହିଁ।
ଚାଇନାର ଏହି ପଦକ୍ଷେପ ପୁଣିଥରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି। ବିଶେଷଜ୍ଞମାନେ ଭୟ କରୁଛନ୍ତି, ଚାଇନା ପୁନର୍ବାର କରୋନା ସଂକ୍ରମଣ ବିଷୟରେ ସୂଚନା ଲୁଚାଉଛି। ତଥାପି, ଡବ୍ଲ୍ୟୁଏଚ୍‌ଓ କହିଛି ଯେ ତଥ୍ୟ ନ ପଠାଇବାର କାରଣ ଏହା ମଧ୍ୟ ହୋଇପାରେ ଯେ, ଏହି ସମୟରେ ଅଧିକାରୀମାନେ ବଢୁଥିବା ମାମଲା ସହିତ ସଂଘର୍ଷ କରୁଛନ୍ତି।
ଡବ୍ଲ୍ୟୁଏଚ୍‌ଓର ସାପ୍ତାହିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଡିସେମ୍ବର ୭ ପର୍ଯ୍ୟନ୍ତ ଚାଇନାରେ କରୋନା ରୋଗୀଙ୍କ ସଂଖ୍ୟା ବିଷୟରେ ସୂଚନା ଦିଆଯାଇଥିଲା। ଡିସେମ୍ବର ୪ ସୁଦ୍ଧା, ଏହି ମାମଲାଗୁଡିକ ୨୮,୮୫୯ ଥିଲା, ଯାହା ଗତ ତିନି ବର୍ଷ ମଧ୍ୟରେ ଚାଇନାରେ ସର୍ବାଧିକ। ତେବେ ଡିସେମ୍ବର ୭ରେ ଚାଇନାରେ ଜିରୋ କୋଭିଡ ନୀତି ପ୍ରତ୍ୟାହାର କରାଯାଇଥିଲା। ସେବେଠାରୁ ଚାଇନାରୁ ଡବ୍ଲ୍ୟୁଏଚ୍‌ଓକୁ କୌଣସି ତଥ୍ୟ ପଠାଯାଇ ନାହିଁ।

Share