ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପୋମ୍ପିଓ ତାଙ୍କ ନୂତନ ସ୍ମୃତିଚାରଣରେ କହିଛନ୍ତି ଯେ କିମ ଜୋଙ୍ଗ ଉନ ଥରେ ତାଙ୍କୁ କହିଥିଲେ ଯେ ଚାଇନା ପ୍ରାଧାନ୍ୟ କମ୍ କରିବା ପାଇଁ ତାଙ୍କୁ ଦକ୍ଷିଣ କୋରିଆରେ ଆମେରିକାର ସୈନ୍ୟବାହିନୀ ଆବଶ୍ୟକ।
ପୋମ୍ପିଓ ତାଙ୍କ ପୁସ୍ତକ ‘ ନେଭର ଗିଭ୍ ଆନ୍ ଇଞ୍ଚ୍: କେବେ ବି ଏକ ଇଞ୍ଚ: ଫାଇଟିଙ୍ଗ ଫର୍ ଦ ଆମେରିକା ଆଇ ଲଭ୍’ ରେ କହିଛନ୍ତି ଯେ ଦକ୍ଷିଣ କୋରିଆରେ ଆମେରିକାର ସାମରିକ ଉପସ୍ଥିତିକୁ ନେଇ ଉତ୍ତର କୋରିଆ ନେତା ଆଦୌ ଚିନ୍ତିତ ନୁହଁନ୍ତି। ୩୦ ମାର୍ଚ୍ଚ ୨୦୧୮ ରେ ଆମେରିକା-ଉତ୍ତର କୋରିଆ ଶିଖର ସମ୍ମିଳନୀ ପୂର୍ବରୁ ପ୍ୟୋଙ୍ଗୟାଙ୍ଗରେ କିମ ଜୋଙ୍ଗ ଉନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଏବଂ ସେହି ସମୟରେ ହୋଇଥିବା ଆଲୋଚନା ଉପରେ ଆଧାର କରି ସେ ଏହି ଦାବି କରିଛନ୍ତି।
ପୋମ୍ପିଓ ଦାବି କରିଛନ୍ତି ଯେ ଯେତେବେଳେ ସେ କିମ ଜୋଙ୍ଗଙ୍କୁ କହିଥିଲେ ଯେ ଚାଇନା ଆମେରିକାକୁ ବାରମ୍ବାର କହିଛି ଯେ ଉତ୍ତର କୋରିଆ ନେତା ଚାହୁଁଛନ୍ତି ଯେ ଆମେରିକାର ସୈନ୍ୟମାନେ ଦକ୍ଷିଣ କୋରିଆରୁ ହଟି ଯାଆନ୍ତୁ। କିମ ଜୋଙ୍ଗ କହିଥିଲେ ଚାଇନା ମିଛ କହୁଛି ଏବଂ ଚାଇନା ଠାରୁ ସୁରକ୍ଷିତ ରହିବା ପାଇଁ ସେମାନଙ୍କୁ ଦକ୍ଷିଣ କୋରିଆ ଆମେରିକାର ସୈନ୍ୟବାହିନୀ ଆବଶ୍ୟକ। ଯାହାଦ୍ୱାରା ତିବ୍ଦତ ଏବଂ ଜିନଝିଆଙ୍ଗ ଭଳି ସମସ୍ୟାର ସମାଧାନ ହୋଇପାରିବ।