‘ଆମେରିକା ଧମକକୁ ଡରିବନି ଚାଇନା’

ବେଜିଂ,୧୬ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରସଙ୍ଗକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ଜିନପିଙ୍ଗ କହିଛନ୍ତି, ୟୁକ୍ରେନ ସଙ୍କଟର ସଠିକ ସମାଧାନ ପାଇଁ ସମସ୍ତ ପକ୍ଷ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ କରିବା ଉଚିତ। ଅନ୍ୟପକ୍ଷରେ ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ପୁଟିନ ୟୁକ୍ରେନର ପରିସ୍ଥିତିର ମୌଳିକ ମୂଲ୍ୟାଙ୍କନ ଦେଇଛନ୍ତି।
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣରେ ପୁଟିନଙ୍କୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଆମେରିକା ଚେତାବନୀ ଦେଇଛି। ଆମେରିକା କହିଛି ଯେ, ଏଭଳି ଦେଶ ଇତିହାସର ଭୁଲ ଦିଗରେ ରହିବ। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଚାଇନା ନିରପେକ୍ଷ ବୋଲି କହୁଛି, କିନ୍ତୁ ଏହାର ଆଚରଣ ସ୍ପଷ୍ଟ କରୁଛି ଯେ, ଏହା ରୁଷିଆ ସହ ନିବିଡ଼ ସମ୍ପର୍କ ସ୍ଥାପନ କରୁଛି। ଫେବୃୟାରୀ ୨୪ରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ପୁଟିନ ଏବଂ ସି ଜିନପିଙ୍ଗ ପ୍ରଥମେ ବେଜିଂରେ ସାକ୍ଷାତ ହୋଇଥିଲେ। ଏକ ଚୁକ୍ତିନାମା ହୋଇଥିଲା। ଯେଉଁଥିରେ କୁହାଯାଇଥିଲା, ରୁଷିଆ-ଚାଇନା ମଧ୍ୟରେ ସମ୍ପର୍କ ଏପରି ଭାବରେ ବୃଦ୍ଧି ପାଇବ ଯେଉଁଥିରେ କୌଣସି ସୀମା ନାହିଁ।

Share