‘ଚାଇନା ବିପଦ ସହ ଖେଳୁଛି’

ଓ୍ବାଶିଂଟନ,୨୩ା୫: ଜାପାନର ରାଜଧାନୀ ଟୋକିଓରେ କ୍ୱାଡ୍‌ ସମ୍ମିଳନୀ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ, ତାଇବାନକୁ ଚାଇନାର ଆକ୍ରୋଶରୁ ରକ୍ଷା କରିବାରେ ଆମେରିକା ସାହାଯ୍ୟ କରିବ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି, ଚାଇନା ବିପଦ ସହ ଖେଳୁଛି। ତାଇବାନରେ ଶାନ୍ତି ଏବଂ ସ୍ଥିରତାକୁ ସମର୍ଥନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଜାପାନ ଏବଂ ଅନ୍ୟ ଦେଶମାନଙ୍କ ସହିତ ଆମେରିକା ଦୃଢ଼ ଭାବରେ ଠିଆ ହୋଇଛି।

ବାଇଡେନ କହିଛନ୍ତି, ବେଜିଂ ଯଦି ଆକ୍ରମଣ କରେ ତେବେ ଆମେରିକା ତାଇବାନକୁ ସାମରିକ ଭାବେ ରକ୍ଷା କରିବ। ସେ କହିଛନ୍ତି, ଆମେ ଗୋଟିଏ ଚାଇନା ନୀତିରେ ସହମତ। ଆମେ ଏଥିରେ ଦସ୍ତଖତ କରିଛୁ, କିନ୍ତୁ ଏହାକୁ ବଳପୂର୍ବକ ନିଆଯାଇପାରିବ ବୋଲି ଭାବିବା ଯଥାର୍ଥ ନୁହେଁ। ତାଇବାନ ଉପରେ ବାଇଡେନ ଚାଇନାକୁ ‘ବିପଜ୍ଜନକ ଟ୍ୟାମ୍ପରିଂ’ ବୋଲି କହିଛନ୍ତି।

ସୋମବାର ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି, ତାଇବାନ ପ୍ରତି ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆମର ଓ୍ବାନ ଚାଇନା ନୀତି ଏବଂ ତାଇବାନରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ  ପ୍ରତିବଦ୍ଧତାକୁ ପୁନଃ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ତାଇବାନକୁ ସାମରିକ ସହାୟତା ଯୋଗାଇବା ପାଇଁ ସେ ଦ୍ୱିପାକ୍ଷିକ ସମ୍ପର୍କ ଆଇନକୁ ମଧ୍ୟ ଦୋହରାଇଛନ୍ତି।

Share