ବେଲ୍ଟ ଆଣ୍ଡ ରୋଡ୍‌ର ରିବ୍ରାଣ୍ଡିଂ କରୁଛି ଚାଇନା

ବେଜିଂ, ୧୪ା୧୧: ଆମେରିକାର ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ (ବି୩ଡବ୍ଲ୍ୟୁ) ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଚାଇନା ଏହାର ମଲ୍ଟି-ବିଲିୟନ-ଡଲାର ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ)କୁ ନୂଆ ରୂପ ଦେବାକୁ ଉଦ୍ୟମ କରୁଛି। ଗତ ଜୁନରେ ଜି-୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବି୩ଡବ୍ଲ୍ୟୁର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଥିଲେ। ସ୍ବଚ୍ଛତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉଚ୍ଚମାନକ ଏବଂ ସ୍ବଚ୍ଛ ଭିତ୍ତିଭୂମି ସହଯୋଗିତା ଗଠନ ଲକ୍ଷ୍ୟରେ ଆର୍ଥିକ ସହାୟତା କରିବା ଏହାର ଲକ୍ଷ୍ୟ ବୋଲି ବାଇଡେନ୍‌ କହିଥିଲେ। ତେବେ ଆମେରିକାର ଉକ୍ତ ଯୋଜନା ସହ ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିବା ଚାଇନା କହିଛି। ବିଭିନ୍ନ ଦେଶକୁ ବିଆର୍‌ଆଇରେ ଯୋଗଦେବାକୁ ଚାଇନା ସ୍ବାଗତ କରେ ଏବଂ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଏହି ଅଭିଯାନ ଅନ୍ତର୍ଜାତୀୟ ସହଯୋଗ ପାଇଁ ସର୍ବଦା ଖୋଲା ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ଅଧିକାରୀ ହାନ୍‌ ଓ୍ବେନ୍‌ଶିୟୁ ଏକ ଖବରଦାତା ସମ୍ମିଳନୀ କହିଛନ୍ତି, ବିଆର୍‌ଆଇ କେବଳ ଚାଇନାର କାମ ନୁହେଁ। ସମସ୍ତ ଦେଶ ଏଥିରେ ସାମିଲ ହୋଇପାରିବେ। ୨୦୨୦ ରେ ଚାଇନା ଏବଂ ବିଆର୍‌ଆଇ ସହଭାଗୀ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୯.୨ ଟ୍ରିଲିୟନ ଡଲାର ଟପିଥିବାବେଳେ ଏହି ପଦକ୍ଷେପ ସହିତ ଜଡିତ ଦେଶଗୁଡ଼ିକରେ ଚାଇନା କମ୍ପାନୀଗୁଡିକର ପ୍ରତ୍ୟକ୍ଷ ବିନିଯୋଗ ପ୍ରାୟ ୧୪୦ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ହାନ୍‌ କହିଛନ୍ତି।

Share