ସୀମା ଜବର ଦଖଲ ପାଇଁ ଯାଯାବରଙ୍କ ସହାୟତା ନେଉଛି ଚାଇନା

ବେଜିଂ,୭।୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଥିବା ଏଲ୍‌ଏସିରେ ଉତ୍ତେଜନା କମିବା ବଦଳରେ ବଢ଼ିଚାଲିଛି। ସୀମା ଜବର ଦଖଲ ପାଇଁ ଚାଇନା ସୈନ୍ୟ ବାହିନୀ ପକ୍ଷରୁ ନୂଆ ଷଡ଼ଯନ୍ତ୍ର ରଚାଯାଇଛି। ଯାଯାବର ସମ୍ପ୍ରଦାୟଙ୍କ ସହାୟତାରେ ଚାଇନା ଭାରତ ସୀମାରେ ଜବର ଦଖଲ ପ୍ରକ୍ରିୟା ଜାରି ରଖିଛି। ସୀମାରେ ଥିବା ତୃଣଭୂମି ଅଞ୍ଚଳରେ ଏଭଳି କାର୍ଯ୍ୟ ଅଧିକ ହେଉଛି। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ସେନା ପକ୍ଷରୁ କଟକଣା ଜାରି କରାଯାଇ ତୃଣଭୂମିରେ ଗୃହପାଳିତ ପ୍ରାଣୀଙ୍କୁ ଚରାଇବା ପାଇଁ ବାରଣ କରାଯାଉଛି। ମାତ୍ର ଏହାଯୋଗୁ ଏଠାରେ ବସବାସ କରୁଥିବା ଭାରତୀୟଙ୍କ ଜୀବନ ଜୀବିକା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାରେ ଲାଗିଛି। ସେମାନେ ନିଜର ଗୃହପାଳିତ ପ୍ରାଣୀଙ୍କୁ ଚରାଇବା ଲାଗି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଲଦାଖ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ପ୍ରଦାନ କରାଯାଇଛି। ପରିଷଦର ୩ ଜଣିଆ ପ୍ରତିନିଧି ଦଳ ରାଜନାଥଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏହାର ସମାଧାନର ପଥ ଶୀଘ୍ର ବାହାର କରିବା ଲାଗି ସେମାନେ ଦାବି କରିଛନ୍ତି।

Share