ପଡ଼ୋଶୀଙ୍କ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରୁଛି ଚାଇନା

ଓ୍ବାଶିଂଟନ,୨୮ା୬ : ଚାଇନା ପଡ଼ୋଶୀ ଦେଶ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ପୂର୍ବ ଲଦାଖରେ ଚାଇନା ସେନାର ଆକ୍ରମଣାତ୍ମକ ମନୋଭାବ ଏହାକୁ ସ୍ପଷ୍ଟ କରିଛି ବୋଲି ଆମେରିକାର ପ୍ରଭାବଶାଳୀ ସାଂସଦ ୟେଡ୍‌ ୟୋହୋ କହିଛନ୍ତି। ଅକାରଣରେ ଏକ ଶାନ୍ତିପ୍ରିୟ ଦେଶକୁ ଡରାଇ ତା ବିରୋଧରେ ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ଆମେରିକା ବରଦାସ୍ତ କରିପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବିଶ୍ୱ ସମୁଦାୟ ଏକାଠି ହୋଇ ଚାଇନା ବିରୋଧରେ ମୁହଁ ଖୋଲିବା ଦରକାର। ମହାମାରୀ କରୋନା ଦ୍ୱନ୍ଦ୍ୱଠାରୁ ସମସ୍ତଙ୍କ ନଜର ହଟାଇବା ଲାଗି ଚାଇନା ଭାରତ, ହଂକଂ, ଭିଏତନାମ୍‌, ତାଇଓ୍ବାନ ଭଳି ପଡ଼ୋଶୀଙ୍କ ବିରୋଧରେ ଏଭଳି ଉଗ୍ରରୂପ ଦେଖାଉଛି। ପ୍ରକାଶଥାଉ କି, ଏହା ପୂର୍ବରୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଟିଭ୍‌ର ସଦସ୍ୟ ଡଃ ଆମି ବେରା ଚାଇନାର ସାମରିକ ଉତ୍ତେଜନା ବିରୋଧରେ ମୁହଁଖୋଲି କୂଟନୈତିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବାକୁ କହିଥିଲେ। ସୀମାରେ ଦୁଇଦେଶ ସେନା ଠୁଳକରିବା ସମସ୍ୟାର ସମାଧାନ ନୁହେଁ ବୋଲି ସେ ମତ ଦେଇଥିଲେ।

Share