ମଧ୍ୟରେଖା ଡେଇଁଲା ଚାଇନା

ବେଜିଂ/ଓ୍ବାଶିଂଟନ/ତାଇପେଇ,୬।୮: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ୍‌ ଗସ୍ତ ପରେ ସମରାଭ୍ୟାସ ଆଳରେ ଦ୍ୱୀପରାଷ୍ଟ୍ରକୁ ଚାରିପଟୁ ଘେରିଛି ଚାଇନା। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ପଠାଇଥିବା ୬୮ ଯୁଦ୍ଧବିମାନ ଓ ୧୩ ଯୁଦ୍ଧଜାହାଜ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ତାଇଓ୍ବାନ୍‌ ପ୍ରଣାଳୀର ମେଡିଆନ୍‌ ଲାଇନ୍‌ ଅତିକ୍ରମ କରିଥିବା ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ ଆଣିଛି। ଆମେରିକା ସମେତ ପାଶ୍ଚାତ୍ୟ ସହଯୋଗୀ ଏହାକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷେ ଚାଇନା କହିଛି, ରବିବାର ଯାଏ ଚାଲିବାକୁ ଥିବା ୪ ଦିନିଆ ସମରାଭ୍ୟାସରେ ପିଏଲ୍‌ଏର ଶତାଧିକ ଯୁଦ୍ଧବିମାନ ଓ ୧୦ ବିଧ୍ୱଂସକ ଯୁଦ୍ଧଜାହାଜକୁ ସାମିଲ କରାଯାଇଛି। ଇଷ୍ଟର୍ନ ଥିଏଟର କମାଣ୍ଡ୍‌ର ରକେଟ ଫୋର୍ସ ପକ୍ଷରୁ ତାଇଓ୍ବାନ୍‌ ଷ୍ଟ୍ରେଟ୍‌ରେ ନୂଆ ଧରଣର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ତାଇଓ୍ବାନ୍‌ ଉପକୂଳରୁ ମାତ୍ର ୨୦ କି.ମି. ଦୂରରେ ଚାଇନାର ଏପରି ସାମରିକ କାର୍ଯ୍ୟକଳାପ ସମ୍ପୃକ୍ତ କ୍ଷେତ୍ରରେ ଉତ୍ତେଜନା ବୃଦ୍ଧିର କାରଣ ସାଜିଛି। ଏସିଆ ଗସ୍ତ ଶେଷକରି ଆମେରିକାକୁ ପ୍ରତ୍ୟାବର୍ତ୍ତନ କରିଥିବା ସ୍ପିକର ନାନ୍ସି ପେଲୋସି କହିଛନ୍ତି, ତାଇଓ୍ବନ୍‌କୁ ଏକଘରିକିଆ କରିବା ପାଇଁ ବେଜିଂର ଉଦ୍ୟମକୁ ଓ୍ବାଶିଂଟନ ସଫଳ ହେବାକୁ ଦେବ ନାହିଁ। ଇତିମଧ୍ୟରେ ତାଇଓ୍ବାନ୍‌ ପ୍ରଧାନମନ୍ତ୍ରୀ ସୁ ସେଙ୍ଗ୍‌-ଚାଙ୍ଗ୍‌ ଉତ୍ତେଜନା ହ୍ରାସ ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ଦୁଷ୍ଟ ପଡ଼ୋଶୀ ବିଶ୍ୱର ବ୍ୟସ୍ତତମ ଜଳପଥ ଦେଇ ଆମ ଦ୍ୱାରକୁ ଆସି ଔଦ୍ଧତ୍ୟ ଦେଖାଇବ ବୋଲି କେବେ ଆଶା କରି ନ ଥିଲୁ।

Share