ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ମହାମାରୀ ସଂକ୍ରମଣର ଗୁମର ଖୋଲିବାରେ ଲାଗିଛି। କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ପୃଥିବୀର ସମସ୍ତ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା। ଏହା ସହିତ ସଂକ୍ରମଣ ସମ୍ପର୍କିତ ଡାଟା ପ୍ରଦାନ ନ କରି ଚାଇନା ବିଶେଷଜ୍ଞଙ୍କୁ ଧୋକା ଦେଇଥିବା ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର ସ୍କାଏ ନ୍ୟୁଜ୍ର ହୋଷ୍ଟ୍ ଆଣ୍ଡ୍ର୍ୟୁ ବୋଲ୍ଟ ନିଜର ଶୋ’ ‘ଦ ବୋଲ୍ଟ୍ ରିପୋର୍ଟ’ରେ ଏଣ୍ଡୋକ୍ରାଇନୋଲୋଜି ପ୍ରଫେସର ନିକୋଲାଇ ପେଟ୍ରୋଓ୍ବକ୍ସିଙ୍କ ସହିତ ଏକ ସାକ୍ଷାତ୍କାର କରିଥିଲେ। ଏହି ସମୟରେ ପ୍ରଫେସର ଏଭଳି ସୂଚନା ଦେଇଛନ୍ତି। ସେହିପରି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ଚାଇନା କରୋନା ଭୂତାଣୁ ପାଙ୍ଗୋଲିନ୍(ବଜ୍ରକାପ୍ତା)ଠାରୁ ସଂକ୍ରମଣ ହୋଇଛି। ତେବେ ଏହାର କୌଣସି ଆଶଙ୍କା ହିଁ ନାହିଁ। ବହୁ ବିଶେଷଜ୍ଞ ଚାଇନାର ଏଭଳି ଦାବିଙ୍କୁ ସ୍ବୀକାର କରି ନାହାନ୍ତି। କରୋନା ଏବଂ ପାଙ୍ଗୋଲିନ୍ର ସ୍ପାଇକ୍ ପ୍ରୋଟିନ୍ ମଧ୍ୟରେ ସମାନତା ରହିଛି। ମାତ୍ର ସଂକ୍ରମଣ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳି ନ ଥିବା ସେ କହିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କରୋନାକୁ ଚାଇନା ଭୂତାଣୁ ବୋଲି କହିଥିଲେ। ସେହିପରି ରାଷ୍ଟ୍ରପତି ଜୋ ବାଇଡେନ୍ ୯୦ ଦିନ ମଧ୍ୟରେ କରୋନା ପ୍ରାକୃତିକ ଅବା ଲ୍ୟାବ୍ରେ ପ୍ରସ୍ତୁତ ସେ ନେଇ ରିପୋର୍ଟ ଇଣ୍ଟେଲଜେନ୍ସ୍ ଏଜେନ୍ସିଙ୍କଠାରୁ ଲୋଡ଼ିଛନ୍ତି।