କରୋନା ସଙ୍କଟରେ ଚାଇନା ପୁଣି କରିପାରେ ଦୁଃସାହସ…

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ମହାମାରୀ ଯୋଗୁ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ଚାଇନା ପୁଣି ପୂର୍ବ ଲଦାଖରେ ଦୁଃସାହସ କରିବାର ଆଶଙ୍କା ରହିଛି। ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ବିପିନ ରାଓ୍ବତ ପ୍ରକାଶ କରିଛନ୍ତି। ଗତବର୍ଷ ଭାରତରେ କରୋନା ଲହର ଜାରି ରହିଥିବା ବେଳେ ଚାଇନା ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରିଥିଲା। ଏବେ ଦେଶରେ କରୋନା ଦ୍ୱିତୀୟ ଲହର ଜାରି ରହିଛି। ଏହାର ସୁଯୋଗ ନେଇ ଚାଇନା ପୁଣି ସୀମାରେ ଖରାପ ସ୍ଥିତି ସୃଷ୍ଟି କରିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି। ତେବେ ଭାରତୀୟ ସେନା ସତର୍କ ରହିଛନ୍ତି। ସୀମାରେ କୌଣସି ଉତ୍ତେଜନା ସୃଷ୍ଟି ହେଲେ ଏହାର ଉଚିତ ଜବାବ ଦେବାକୁ ଭାରତୀୟ ସେନା ସକ୍ଷମଥିବା ସେ ସୂଚନା ଦେଇଛନ୍ତି। ସୀମାରେ ସମ୍ପ୍ରତି କମ୍‌ ସଂଖ୍ୟକ ଭାରତୀୟ ସେନା ମୁତୟନ ରହିଛନ୍ତି। ମାତ୍ର ରିଜର୍ଭ ସେନା ସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କୁ ଯେ କୌଣସି ସ୍ଥାନରେ ମୁତୟନ କରାଯାଇ ପାରିବ ବୋଲି ବିପିନ ରାଓ୍ବତ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜୁନ୍‌ ୧୫-୧୬ ରାତ୍ରରେ ଲଦାଖର ଗଲଓ୍ବାନ ଘାଟିରେ ଚାଇନା ବିଶ୍ୱାସଘାତକତା କରି ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ଜଣେ କର୍ନେଲଙ୍କ ସମେତ ୨୦ ଯବାନ ଶହୀଦ୍‌ ହୋଇଥିଲେ। କିନ୍ତୁ ଭାରତୀୟ ସେନା ପକ୍ଷରୁ ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ମିଳିଥିଲା।

Share