Categories: ଜାତୀୟ

ବିହାରରେ ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରୁଛନ୍ତି ଚାଇନା-ପାକିସ୍ତାନ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଗଲା ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୪।୧ : ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ) ଆତଙ୍କବାଦୀ ସଂଗଠନ ନେପାଳରେ ଆଶ୍ରୟ ନେଇଛି। ସଂଗଠନ  ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବେଶ୍‌ ସକ୍ରିୟ ହେବାରେ ଲାଗିଛି। ଏନେଇ ସୀମା ପାରରୁ ଚାଇନା ଏବଂ ପାକିସ୍ତାନର ସହାୟତା ମଧ୍ୟ ଇଣ୍ଡିଆନ୍‌ ମୁଜାହିଦ୍ଦିନ ସଂଗଠନକୁ ମିଳୁଥିବାର ଗୁପ୍ତ ସୂଚନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ୨୦୨୨ରେ ଦୁଇଶହରୁ ଅଧିକ ସ୍ଲିପର ସେଲ ସଦସ୍ୟଙ୍କୁ ପ୍ରସ୍ତୁତ କରିବା ଲାଗି ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି।

ଗୁପ୍ତ ସୂଚନା ମିଳିବା ପରେ ଏହି ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ଭାରତ-ନେପାଳ ସୀମାରେ ଅବସ୍ଥିତ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ତାଲିକା ମଧ୍ୟ ଏସଏସବି ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଏହିପରି ସୂଚନା ପାଇବା ପରେ ସୀମାନ୍ତ ଅଞ୍ଚଳରେ ଯବାନ ସଜାଗ ରହିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏସସିବି ଯବାନଙ୍କ ଦ୍ୱାରା ଯାଞ୍ଚ୍‌ କରାଯାଉଛି।

ନେପାଳରୁ ଆଇଏସ୍‌ଆଇ ଏଜେଣ୍ଟଙ୍କ ମାଧ୍ୟମରେ ଏସବୁ ଅଞ୍ଚଳରେ ପାଣ୍ଠି ଯୋଗାଣ କରାଯାଉଥିବା ସୂଚନା ମଧ୍ୟ ମିଳିଛି। ବେରୋଜଗାର ଏବଂ ସୀମାନ୍ତ ଅଞ୍ଚଳର ନାବାଳିକଙ୍କୁ ପଥଭ୍ରଷ୍ଟ କରାଯାଇ ସ୍ଲିପର ସେଲର ସଦସ୍ୟ ଭାବରେ ତାଲିମ ପ୍ରଦାନ କରାଯାଉଛି। ଆଇଏସ୍‌ଆଇ ଏଜେଣ୍ଟ ପ୍ରଥମେ ସେମାନଙ୍କ ବିଭିନ୍ନ ପ୍ରକାର ସହାୟତା ଏବଂ ସୁବିଧା ଯୋଗାଇ ଦିଆଯାଇ ପରବର୍ତ୍ତୀ ସମୟରେ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଂଗଠନରେ ସାମିଲ କରାଯାଉଛି।

ଗୁପ୍ତଚର ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ କାଟିହାରରୁ ଫେରାର ହୋଇଥିବା ଆଫଗାନିସ୍ତାନ ନାଗରିକମାନେ ଇଣ୍ଡୋ-ନେପାଳର ସୀମା ଅଞ୍ଚଳରେ ବାସବାସ କରି ଚାିଡ଼ା ଏବଂ ପାକିସ୍ତାନର ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ସମ୍ପ୍ରତି ନେପାଳରେ ଚାଇନାର ହସ୍ତକ୍ଷେପ ଯଥେଷ୍ଟ ବୃଦ୍ଧି ପାଇଛି। କୁହାଯାଉଛି ଯେ ଜିଛି ଚାଇନା ଲୋକ ନେପାଳରେ ବସବାସ କରିବା ସହିତ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ସଂଗଠନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share