ସୀମାରେ କମାଣ୍ଡର ପରିବର୍ତ୍ତନ କଲେ ଚାଇନା-ପାକିସ୍ତାନ…

ନୂଆଦିଲ୍ଲୀ/ବେଜିଂ/ଇସଲାମାଦାବ,୮।୯: ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାପରେ ପରେ ପରେ ଉଭୟ ଚାଇନା ଏବଂ ପାକିସ୍ତାନ ଭାରତ ସୀମାରେ ନିଜ ନିଜର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛନ୍ତି। ଚାଇନାର ପିଏଲଏ ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି)ରେ ଜଣେ ନୂତନ କମାଣ୍ଡର ନିଯୁକ୍ତ କରିଛି। ଗତ ଏକ ବର୍ଷରେ, ଚାରିଜଣ ଡବ୍ଲୁଟିସି କମାଣ୍ଡରଙ୍କୁ ପରିବର୍ତ୍ତନ କରାଯାଇଛି। ଏଥି ସହିତ, ପାକିସ୍ତାନ ମଧ୍ୟ ଏଲ୍‌ଓସିରେ ଦାୟିତ୍ୱରେ ଥିବା ରାୱଲପିଣ୍ଡି କୋର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛି।

ସୂଚନା ଅନୁଯାୟୀ, ଚାଇନା ଏହାର ପାଞ୍ଚ ଜଣ କମାଣ୍ଡରଙ୍କୁ ପଦୋନ୍ନତି ଦେଇ ଜେନେରାଲ ପଦ ପ୍ରଦାନ କରିଛି। ଏହି ଜେନେରାଲମାନଙ୍କର ପଦୋନ୍ନତି ସମାରୋହରେ ନିଜେ ରାଷ୍ଟ୍ରପତି ଶି ଜିନପିଙ୍ଗ ଉପସ୍ଥିତ ଥିଲେ। କିନ୍ତୁ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଜେନେରାଲ ୱାଙ୍ଗ ହାଇଜିଆଙ୍ଗଙ୍କୁ ପିଏଲଏ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି) ର କମାଣ୍ଡର ଭାବରେ ନିଯୁକ୍ତ ହୋଇଛନ୍ତି। ଚାଇନାର ଜିନଜିଆଙ୍ଗ ଏବଂ ତିବ୍ଦତ ସ୍ବୟଂଶାସିତ ଅଞ୍ଚଳ ତଥା ଭାରତ ସହିତ ଲାଗିଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ପାଇଁ ଡବ୍ଲୁଟିସି କାର୍ଯ୍ୟ କରିଥାଏ।

ଗତ ଏକ ବର୍ଷ ମଧ୍ୟରେ ଚାଇନା ଡବ୍ଲୁଟିସି କମାଣ୍ଡର ଚାରିଜଣ କମାଣ୍ଡରଙ୍କୁ ବଦଳାଇଛି। ଯଦିଓ ଚୀନ ଏହି ପରିବର୍ତ୍ତନ ପାଇଁ କୌଣସି କାରଣ ଦର୍ଶାଇ ନାହିଁ। ତଥାପି ବିଶ୍ୱାସ କରାଯାଏ ଯେ ପୂର୍ବ ଲଦାଖ ସଂଲଗ୍ନ ଏଲ୍‌ଏସିରେ ଭାରତ ସହିତ ଜାରି ରହିଥିବା ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଶି ଜିନପିଙ୍ଗ ଅସନ୍ତୁଷ୍ଟ ଥିବାରୁ ସେମାନଙ୍କୁ ବଦଳାଯାଇଛି।

ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ଚାଇନା ନିଜର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡରଙ୍କୁ ବଦଳାଇଲା, ପାକିସ୍ତାନ ମଧ୍ୟ ଏଲଓସିରେ ନିଜ କମାଣ୍ଡରଙ୍କୁ ପରିବର୍ତ୍ତନ କରିଥିଲା। ପାକିସ୍ତାନ ପକ୍ଷରୁ ଲ୍ୟୁଟନାଟ୍‌ ଜେନେରାଲ ସାହିର ଶ୍ୟାମଶାଦ ର୍ମିଜାଙ୍କୁ ରାୱଲପିଣ୍ଡି କୋର (୧୦ କୋର୍‌) ର କମାଣ୍ଡର ଭାବରେ ନିଯୁକ୍ତ କରିଛି। ପାକିସ୍ତାନ ଏହାର ଷ୍ଟ୍ରାଇକ କୋର (ମୁଲତାନ କୋର) ର କମାଣ୍ଡରଙ୍କୁ ମଧ୍ୟ ବଦଳାଇଛି। ଏହା ସହିତ ପାକିସ୍ତାନ ପକ୍ଷରୁ ଜଣେ ନୂଆ ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍ଙଙ୍କୁ ମଧ୍ୟ ନିଯୁକ୍ତ କରିଛି।

ଚାଇନ ଏବଂ ପାକିସ୍ଥାନର ନୂତନ ନିଯୁକ୍ତି ସମ୍ପର୍କରେ ଭାରତ ପକ୍ଷରୁ ଅନୁମାନ କରାଯାଉଛି ଯେ, ହୁଏତ ଏହା ସଂଯୋଗ ହୋଇପାରେ ଅବା ଏକ ଯୋଜନାବଦ୍ଧ ଷଡଯନ୍ତ୍ରରେ ମଧ୍ୟ ହୋଇପାରେ। ତେଣୁୁ ପରିସ୍ଥିତି ଉପରେ ଭାରତ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି।

Share