ଆଫଗାନିସ୍ତାନ ପର୍ଯ୍ୟନ୍ତ ବିଆରଆଇର ବିସ୍ତାର କରିବ ଚାଇନା-ପାକିସ୍ତାନ

ଇସଲାମାବାଦ,୯।୧୦: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ବର୍ତ୍ତମାନ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର ହେବ। ସିପିଇସିରେ ତୃତୀୟ ପକ୍ଷଙ୍କୁ ସାମିଲ କରିବାକୁ ପାକିସ୍ତାନ ଏବଂ ଚାଇନା ରାଜି ହୋଇଛନ୍ତି। ପାକିସ୍ତାନର ଜଣେ ବରିଷ୍ଠ କୂଟନୀତିଜ୍ଞ ଏହି ସୂଚନା ଦେଇଛନ୍ତି।

ସିପିଇସି ଚାଇନାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ(ବିଆରଆଇ)ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଭାରତ ଏହାକୁ ଦୃଢ ବିରୋଧ କରୁଛି। ସିପିଇସି ଚାଇନାର ଜିନଜିଆଙ୍ଗକୁ ପାକିସ୍ଥାନର ବାଲୁଚିସ୍ତାନସ୍ଥିତ ଗ୍ବାଦର ବନ୍ଦର ସହିତ ସଂଯୋଗ କରିବ, ଯାହା ପୋକ ଦେଇ ଯାଇଥାଏ। ଚାଇନା ବିଆରଆଇ ମାଧ୍ୟମରେ ବିଦେଶରେ ନିଜର ପ୍ରଭାବ ବଢାଇବାକୁ ଚାହୁଁଛି।

ପାକିସ୍ତାନର ଅଫିସିଆଲ ଆସୋସିଏଟେଡ ପ୍ରେସ ଅନୁଯାୟୀ, ଚାଇନାରେ ପାକିସ୍ତାନୀ ରାଷ୍ଟ୍ରଦୂତ ମୋଇନୁଲ ହକ ରବିବାର କହିଛନ୍ତି, ସିପିଇସି ପାକିସ୍ତାନର ଆର୍ଥିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଏହି ପ୍ରକଳ୍ପରେ ଭାଗ ନେବାକୁ ତୃତୀୟ ପକ୍ଷଙ୍କୁ ଆମନ୍ତ୍ରଣ କରିବାକୁ ଆମେ ସହମତ ହୋଇଛୁ। ବର୍ତ୍ତମାନ ଆମେ ଏହାକୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର କରିବୁ।

Share