ପିଲା ଅପରାଧ କଲେ ମା’ବାପାଙ୍କୁ ମିଳିବ ଦଣ୍ଡ

ବେଜିଂ,୧୯ ।୧୦: ଚାଇନା ସଂସଦ ଏଭଳି ଏକ ଆଇନ ପ୍ରଣୟନ ଉପରେ ବିଚାର କରୁଛି, ଯେଉଁଥିରେ ପିଲାମାନଙ୍କର ମାତାପିତାଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିବ । ଯେଉଁ ପିଲାମାନେ ଖରାପ ଆଚରଣ ଓ ଅପରାଧ କରୁଛନ୍ତି ସେଭଳି ପିଲାଙ୍କ ମାତାପିତାଙ୍କୁ ଦଣ୍ଡ ଦିଆଯିବ । ପରିବାର ଶିକ୍ଷା ପ୍ରୋତ୍ସାହନ ଅଧିନିୟମ ଅନୁଯାୟୀ, ଯେଉଁ ପିଲାମାନେ ଅତ୍ୟଧିକ ଖରାପ ଆଚରଣ କିମ୍ବା ଅପରାଧ କରିଛନ୍ତି ସେମାନଙ୍କ ମାତାପିତାଙ୍କୁ ସର୍ବସାଧାରଣରେ ତାଗିଦ କରାଯିବ ଏବଂ ପରିବାର ଶିକ୍ଷା କାର୍ଯ୍ୟକ୍ରମରେ ଯୋଗଦେବାକୁ ପଠାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ପିଲାମାନଙ୍କର ଯତ୍ନ ନିଆଯିବାକୁ କୁହାଯିବ ଓ ଭୁଲ ବାଟରେ ଯାଇଥିବା ପିଲାମାନଙ୍କୁ କିପରି ଠିକ୍ ବାଟକୁ ଅଣାଯାଇ ପାରିବ ସେ ବିଷୟରେ ଅବଗତ କରାଯିବ । ଏହି ଆଇନ ଦ୍ୱାରା ବିଶେଷ ଭାବେ ବିଗିଡି ଯାଉଥିବା ପିଲାମାନଙ୍କ ବାଟକୁ ଆଣିବାକୁ ପ୍ରୟାସ କରାଯିବ ବୋଲି କୁହାଯାଉଛି । ଏମିତିକି ସେମାନଙ୍କୁ ଖରାପ ଅଭ୍ୟାସରୁ ଦୂରେଇ ରଖିବାରେ ଏହି ଆଇନ ସାହାଯ୍ୟ କରିବ ।

Share