ଏକଦା ଚାଇନାର ଉହାନ୍‌ରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ଏବେ ଭୟକୁ ଫୁ’ କରି ପୁଲ୍‌ ପାର୍ଟିର ମଜା ନେଉଛନ୍ତି ଲୋକେ

ବେଜିଂ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇସାରିଲାଣି। ପ୍ରତ୍ୟେହ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ପାଳନ ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ମହାମାରୀ ସଂକ୍ରମଣ ଆରମ୍ଭ ହୋଇଥିବା ଉହାନରୁ ଏଭଳି ଚିତ୍ର ଆସିଛି, ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ନ ପାରନ୍ତି।

ସର୍ବପ୍ରଥମେ ଚାଇନାର ଉହାନ୍‌ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ହେଲେ ଏବେ ଏହି ସହର ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। କାରଣଟି ହେଲା, ଉହାନରେ ଥିବା ଏକ ଓ୍ବାଟର୍‌ ପାର୍କରେ ହଜାର ହଜାର ଲୋକ ସପ୍ତାହାନ୍ତ(ଓ୍ବିକେଣ୍ଡ)କୁ ଉପଭୋଗ କରିବାକୁ ପହଞ୍ଚିଥିଲେ। ସେଠାରେ ଲୋକ ମସ୍ତି କରୁଥିବାର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ପାର୍କରେ ଏତେ ସଂଖ୍ୟକ ଲୋକ ଏକାଠି ହୋଇଥିବା ସତ୍ତ୍ୱେ ସାମାଜିକ ଦୂରତା ପାଳନ କରାଯାଉ ନାହିଁ। ଏପରିକି ଲୋକମାନେ ମାସ୍କ ମଧ୍ୟ ପିନ୍ଧି ନ ଥିବା ଦେଖାଯାଉଛି।

ଉହାନର ଲୋକପ୍ରିୟ ମାୟା ବିଚ୍‌ ଓ୍ବାଟର୍‌ ପାର୍କରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଏକ ମ୍ୟୁଜିକାଲ ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା। ଏହି ସମୟରେ ଲୋକମାନେ ରଙ୍ଗବେରଙ୍ଗର ସୁଇମ୍‌ ସୁଟ ଏବଂ ଚଷମା ପିନ୍ଧି ମଜା କରିଥିଲେ।

ପ୍ରକାଶ ଯେ, ଉହାନରେ ୭୬ ଦିନ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ଏହାପରେ ଜୁନ୍‌ରେ ପୁଣି ଏହାକୁ ଉଠାଇ ଦିଆଯାଇଥିଲା।

Share