ଶାନ୍ତି ଆଣିବ ଚାଇନା ଯୋଜନା: ପୁଟିନ୍‌

କିଭ୍‌/ମସ୍କୋ,୨୨ା୩: ଚାଇନାର ଶାନ୍ତି ଯୋଜନା ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ଆଧାର ଯୋଗାଇପାରେ। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ୩ ଦିନିଆ ମସ୍କୋ ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା ପରେ ପୁଟିନ୍‌ ଆହୁରି କହିଛନ୍ତି, ୟୁକ୍ରେନ୍‌ର ପାଶ୍ଚାତ୍ୟ ସହଯୋଗୀମାନେ ଏଥିପାଇଁ ଏଯାଏ ଆଗ୍ରହ ଦେଖାଇନାହାନ୍ତି। ୟୁରାନିୟମ୍‌ ଭର୍ତ୍ତି ଯୁଦ୍ଧ ଟ୍ୟାଙ୍କ ସକାଶେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ବ୍ରିଟେନର ଯୋଜନା କିଭ୍‌କୁ ଆଣବିକ ଅସ୍ତ୍ର ଉପକରଣ ଯୋଗାଣ ଲାଗି ପାଶ୍ଚାତ୍ୟକୁ ସହାୟକ ହେବ। ତେବେ ଏପରି ହେଲେ ରୁଷିଆ ଏହାର ଜବାବ ଦେବ ବୋଲି ପୁଟିନ୍‌ କହିଛନ୍ତି।
ଏହା ପୂର୍ବରୁ ପୁଟିନ୍‌ ଓ ଜିନ୍‌ପିଙ୍ଗ୍‌ ୟୁକ୍ରେନ୍‌ରେ ଯୁଦ୍ଧବିରତି ନେଇ ବେଜିଂର ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ପାଇଁ ଜିନ୍‌ପିଙ୍ଗ୍‌ ରୁଷିଆ ପ୍ରତିପକ୍ଷଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଜିନ୍‌ପିଙ୍ଗ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଫୋନ୍‌ କରିପାରନ୍ତି। ଅନ୍ୟପକ୍ଷେ ପୁଟିନ୍‌ଙ୍କ ଏହି ଗସ୍ତକୁ ଆମେରିକା ସମାଲୋଚନା କରିଛି। ସେପଟେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ୟୁକ୍ରେନ୍‌କୁ ସମର୍ଥନ ଜଣାଇ କିଭ୍‌ରେ ପହଞ୍ଚତ୍ଛନ୍ତି।

Share