ଭାରତକୁ ପ୍ରଂଶସା ଓ ଆମେରିକାକୁ ନିନ୍ଦା କଲା ଚାଇନା ଗଣମାଧ୍ୟମ

ବେଜିଂ,୯।୯: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଜି-୨୦ରେ ଭାରତର ଅଧ୍ୟକ୍ଷତାକୁ ନେଇ ଏକ ଆଲେଖ୍ୟ ପ୍ରକାଶ କରିଛି। ଆର୍ଟିକିଲରେ ସେ ଭାରତର ପ୍ରଶଂସା କରଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଟାର୍ଗେଟ କରିଛି।

ଆଲେଖ୍ୟରେ ଗ୍ଲୋବାଲ ଟାଇମ୍ସ କହିଛି ଯେ, ପ୍ରଥମ ଥର ପାଇଁ ଭାରତ ବହୁପକ୍ଷୀୟ କୂଟନନୈତିକ ସମ୍ମିଳନୀ ଆୟୋଜନ କରୁଛି। ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ଯେ ଭାରତ ଏହାକୁ ଗୁରୁତ୍ୱ ଦେଇଛି। ଭାରତ ଅନୁଭବ କରୁଛି ଯେ ଏହାର ସଫଳ ଆୟୋଜନ ବିଶ୍ୱରେ ନିଜର ସ୍ଥିତି ସୁଦୃଢ କରିବ।

ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ, ଯେଉଁମାନେ ପ୍ରାୟତଃ ଭାରତ ସହିତ ଛିଡା ହେବାକୁ ଦାବି କରନ୍ତି, ସେମାନେ ଜି-୨୦ ଦେଶ ମଧ୍ୟରେ ମତଭେଦ ସୃଷ୍ଟି କରନ୍ତି। ଜି୨୦ ହେଉଛି ବିଶ୍ୱର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗ ଫୋରମ, କିନ୍ତୁ ଏଠାରେ ସେମାନେ ତାଙ୍କର ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ବୋଲି ଆଲେଖ୍ୟରେ କୁହାଯାଇଛି।

ଗ୍ଲୋବାଲ ଟାଇମ୍ସ ଚିନ୍ତା ପ୍ରକଟ କରିଛି ଯେ ପାଶ୍ଚାତ୍ୟ ଯୋଗୁ ଇତିହାସରେ ପ୍ରଥମ ଥର ପାଇଁ ମିଳିତ ଘୋଷଣାନାମା ପ୍ରକାଶ ପାଇ ପାରିବ ନାହିଁ ବୋଲି ଆଶଙ୍କା ରହିଛି। ଜି୨୦ ଶିଖର ସମ୍ମିଳନୀରେ ଭାରତ ୬ଟି ପ୍ରାଥମିକତା ଘୋଷଣା କରିଛି । ସବୁଜ ଅଭିବୃଦ୍ଧ, ଜଳବାୟୁ ପରିବର୍ତ୍ତନ, ଅନ୍ତର୍ଭୂକ୍ତ ଅଭିବୃଦ୍ଧି, ଡିଜିଟାଲ ଅର୍ଥନୀତିରେ ଉନ୍ନତି, ଜନସାଧାରଣ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ଏବଂ ସାମାଜିକ ଅର୍ଥନୈତିକ ପ୍ରଗତି ପାଇଁ ମହିଳା ସଶକ୍ତିକରଣ।

ଗ୍ଲୋବାଲ ଟାଇମ୍ସ ଆହୁରି କହିଛି, ଏହି ଏଜେଣ୍ଡା ବଦଳରେ ପାଶ୍ଚାତ୍ୟ ଦେଶମାନେ ଋଷିଆ-ୟୁକ୍ରେନ ବିବାଦ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଭାରତ ୟୁକ୍ରେନର ପ୍ରତିନିଧୀଙ୍କୁ ଜି-୨୦କୁ ନିମନ୍ତ୍ରଣ କରିନାହିଁ। ଗ୍ଲୋବାଲ ଟାଇମ୍ସ ଏହାକୁ ପ୍ରଶଂସା କରଛି। ଏହି ଏଜେଣ୍ଡାରୁ ଦେଖିଲେ ଜଣାଯାଏ କି ଭାରତ ଅର୍ଥନୈତିକ ସଂସ୍କାର ଏବଂ ବହୁପକ୍ଷୀୟ କୂଟନୈତିକତା ଉପରେ ଧ୍ୟାନ ଦେଇଛି। ଯାହାକି ସର୍ବଦା ଜି-୨୦ ଫୋରମର ମୁଖ୍ୟ ଥିମ ରହିଆସିଛି। କିନ୍ତୁ ପାଶ୍ଚାତ୍ୟ ଏବଂ ଆମେରିକା ଏହା ଆଦୌ ଚାହାନ୍ତି ନାହିଁ।

Share