Categories: ଜାତୀୟ

ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍‌ ମୁତୟନ କରିବ ଭାରତ

ଲଦାଖ,୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୨ ପାଟ୍ରୋଲିଂ ବୋଟ ମୁତୟନ କରାଯିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ଚାଇନା ସୈନ୍ୟ ବାହିନୀର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇ ପାରିବ ବୋଲି ଭାରତୀୟ ସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ବୋଟଗୁଡ଼ିକ ଦ୍ୱାରା ପରିବହନ କାର୍ଯ୍ୟ ମଧ୍ୟ ସହଜ ହୋଇପାରିବ। ବୋଟ ଗୁଡ଼ିକକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯିବ। ଏହାର ସମ୍ମୁଖ ଏବଂ ପଛ ଭାଗରେ ବନ୍ଧୁକ ରହିବ। ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ର ଭାସ୍କୋ ଡ଼େ ଗାମା ନିର୍ମାଣ ୟୁନିଟ୍‌ରେ ବୋଟ୍‌ ଗୁଡ଼ିକର ନିର୍ମିତ ହେବ। ଏନେଇ ଭାରତୀୟ ସେନା ପକ୍ଷରୁ ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ ସହିତ ଚୁକ୍ତି କରାଯାଇଛି। ୨୦୨୧ ମେ’ଠାରୁ ବୋଟ୍‌କୁ ଭାରତୀୟ ସେନାରେ ସାମିଲ କରାଯିବ। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ବୋଟ ମୁତୟନ କରାଗଲେ ଚାଇନା ସୈନ୍ୟ ବାହିନୀର ପ୍ରତିଟି କାର୍ଯ୍ୟର ସୂଚନା ସହଜରେ ଭାରତୀୟ ସେନା ଜାଣିପାରିବେ।

Share