Categories: ଜାତୀୟ

ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସରୁ ହଟିବାକୁ ମନାକଲା ଚାଇନା

ନୂଆଦିଲ୍ଲୀ, ୧୧।୪: ଭାରତ ଓ ଚାଇନା ସୈନ୍ୟବାହିନୀର ୧୧ତମ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଆରମ୍ଭ ହୋଇଥିଲା। ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗସ ଅଞ୍ଚଳରୁ ସୈନ୍ୟ ଓ ଯାନବାହନ ପ୍ରତ୍ୟାହାର କରିନେବା ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଚାଇନା ସେନା ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। ଗତ ଫେବୃୟାରୀରେ ପଙ୍ଗୋଙ୍ଗ୍‌ ସୋ ସେକ୍ଟରର ଉଭୟ ପାର୍ଶ୍ୱରୁ ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଥିଲେ। ଫଳରେ ସୀମାରେ ଦୀର୍ଘଦିନର ଅଚଳାବସ୍ଥା ପରେ ଏକ ସକାରାତ୍ମକ ଅଗ୍ରଗତି ହୋଇଥିଲା। ତେବେ ପୁଣିଥରେ ଚାଇନା କଠୋର ଆଭିମୁଖ୍ୟ ପ୍ରକାଶ କରିବା ଫଳରେ ଏଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଲୋଚନାରେ ବସିବା ପୂର୍ବରୁ ଚାଇନା ପକ୍ଷ ସମ୍ପୂର୍ଣ୍ଣ କଠୋର ନିଷ୍ପତ୍ତି ନେଇ ଆସିଥିଲେ ବୋଲି ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି। ଏକାଦଶ ପର୍ଯ୍ୟାୟ ଆଲୋଚନା ଦୀର୍ଘ ୧୩ ଘଣ୍ଟା ଧରି ଚାଲିଥିଲା। ଏହି ଅବସରରେ ଭାରତ ଗୋଗ୍ରା-ହଟ୍‌ ସ୍ପ୍ରିିଙ୍ଗ୍‌ସ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ସହ ଡେପସାଙ୍ଗ ଅଞ୍ଚଳରେ ପୁନର୍ବାର ପାଟ୍ରୋଲିଂ ଚାଲୁ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଆଲୋଚନାରେ ଭାରତ ପକ୍ଷରୁ ୧୪ କର୍ପସ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ପି.ଜି.କେ. ମେନନ ଏବଂ ଚାଇନା ପକ୍ଷରୁ ସାଉଥ୍‌ ଜିନିଜିଆଙ୍ଗ ମିଲିଟାରି ଡିଷ୍ଟ୍ରିକ୍ଟ ମୁଖ୍ୟ ମେଜର ଜେନେରାଲ ଲିଉ ଲିନ୍‌ ଆଲୋଚନାର ନେତୃତ୍ୱ ନେଇଥିଲେ। ଭାରତ ପାର୍ଶ୍ୱର ଚୁଶୁଲ-ମୋଡଡୋ ସୀମାରେ ଆଲୋଚନା ହୋଇଥିଲା।

Share