Advertisement

ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଚାଇନା,ଆମେରୀକୀୟ ସାମଗ୍ରୀ ଉପରେ ଲଗାଇଲା ୩୪% ଟାରିଫ୍‌

ନୂଆଦିଲ୍ଲୀ,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ଅନେକ ଦେଶ ଏହାକୁ ବିରୋଧ କରୁଛନ୍ତି। ଟ୍ରମ୍ପଙ୍କ ଟାରିଫ୍‌  ଦ୍ୱାରା ଚାଇନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କାରଣ ଟ୍ରମ୍ପ ଚାଇନା ଉପରେ ୩୪ ପ୍ରତିଶତ ଟାରିଫ୍‌  ଲାଗୁ କରିଛନ୍ତି। ଏହାର ପ୍ରତିଶୋଧ ସ୍ବରୂପ ଚାଇନା ଏବେ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ୩୪% ଟାରିଫ୍‌  ଲଗାଇଛି।
ଚାଇନା ଶୁକ୍ରବାର ୧୦ ଏପ୍ରିଲରୁ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ୍‌ ବୃଦ୍ଧି କରିବାକୁ ଘୋଷଣା କରିଛି। କେବଳ ଏତିକି ନୁହେଁ ଚାଇନା ଏହା ମଧ୍ୟ କହିଛି ଯେ ଆମେରିକାରୁ ଆସୁଥିବା ମେଡିକାଲ ସିଟି ଏକ୍ସ-ରେ ଟ୍ୟୁବ୍‌ଗୁଡ଼ିକର ତଦନ୍ତ ଆରମ୍ଭ କରିବ ଏବଂ ଦୁଇଟି ଆମେରିକୀୟ କମ୍ପାନୀରୁ କୁକୁଡ଼ା ଉତ୍ପାଦ ଆମଦାନୀ ଉପରେ ରୋକ ଲଗାଇବ।
ଏହାଛଡ଼ା ଚାଇନା କହିଛି ଯେ ସେ ୧୧ଟି ଆମେରିକୀୟ କମ୍ପାନୀକୁ “ଅବିଶ୍ୱସନୀୟ ପ୍ରତିଷ୍ଠାନ” ତାଲିକାରେ ଯୋଡୁଛି। ଯାହା ସେମାନଙ୍କୁ ଚାଇନା କିମ୍ବା ଚାଇନା କମ୍ପାନୀଗୁଡ଼ିକ ସହିତ ବ୍ୟବସାୟ କରିବାରୁ ରୋକିବ। କେବଳ ଏତିକି ନୁହେଁ ଚାଇନା ମୂଲ୍ୟବାନ ଗାଡୋଲିନିୟମ ଏବଂ ୟିଟ୍ରିୟମ ସମେତ ଅନ୍ୟ କିଛି ଧାତୁର ରପ୍ତାନି ଉପରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ସୂଚିତ କରିଛି। ବିଶେଷ କଥା ହେଉଛି ଚାଇନାରେ ସବୁଠାରୁ ଅଧିକ ଏହି ସମସ୍ତ ଧାତୁର ଖନନ କରାଯାଏ। ଏଗୁଡ଼ିକର ବ୍ୟବହାର ବୈଦ୍ୟୁତିକ କାରଠାରୁ ଆରମ୍ଭ କରି ସ୍ମାର୍ଟ ବମ୍‌ ପର୍ଯ୍ୟନ୍ତ ସବୁକିଛିରେ ବ୍ୟବହୃତ ହୋଇଥାଏ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହ ଆରମ୍ଭରୁ ଚାଇନା ଉପରେ ୫୪% ଟାରିଫ୍‌  ଘୋଷଣା କରିଥିଲେ, ଯେଉଁଥିରେ ପୂର୍ବରୁ ଥିବା ଟାରିଫ୍‌  ମଧ୍ୟ ସାମିଲ ଅଛି। ଆମେରିକାର ଟାରିଫ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା କିଛି ବଡ଼ ଦେଶ ମଧ୍ୟରୁ ଚାଇନା ଗୋଟିଏ ଥିଲା। ଜାନୁଆରୀରେ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବା ପରେ ଆମେରିକା ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶପଥ ଗ୍ରହଣର ଦୁଇ ମାସ ପରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଏପର୍ଯ୍ୟନ୍ତ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହୋଇନାହାନ୍ତି।
ଟ୍ରମ୍ପ ଯେଉଁ ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ୨ ଏପ୍ରିଲରେ ଭାରତରୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ୨୬ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଛି। ଏନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଭାରତ ଟାରିଫ୍‌  ଚ୍ୟାଲେଞ୍ଜର ମୁକାବିଲା ପାଇଁ କିଛି ନିଷ୍ପତ୍ତି ମଧ୍ୟ ନେଇପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share