ବର୍ଷେ ପରେ ଚାଇନାରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବେଜିଂ,୧୯।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଏକ ବର୍ଷରୁ ଅଧିକ ସମୟ ପରେ ଚାଇନାରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚାଇନାରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ଏବେ ସାରା ବିଶ୍ୱରେ ପୁଣିଥରେ ଚିନ୍ତା ବଢ଼ିଯାଇଛି। ଗତ କିଛି ଦିନରୁ ଚାଇନାରେ ଲଗାତର ଭାବେ ଦୈନିକ ସଂକ୍ରମଣ ୩ହଜାରରୁ ଉର୍ଦ୍ଧ୍ୱ ରହିଥିବା ବେଳେ ଶନିବାର ଉକ୍ତ ଦେଶରେ ୨,୧୫୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିରୁ ଅଧିକତର ଆକ୍ରାନ୍ତ ଜିଲିନ ପ୍ରାନ୍ତର ରହିଥିବା ଜଣାପଡ଼ିଛି। ଇତିମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ସଂଘାଇରେ ବର୍ତ୍ତମାନ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। କରୋନାରେ ବ୍ରେକ୍‌ ଲଗାଇବା ପାଇଁ ଚାଇନାର ଅନେକ ପୂର୍ବ ସହରରେ ତଥା ଜିଲିନରେ ପ୍ରତିବନ୍ଧକ ଲଗାଯିବା ସହ ଲକ୍‌ଡାଉନ ଲାଗୁ କରାଯାଇଛି। ଏଥିସହ ସଭା ସମିତି, ଏକା ସାଙ୍ଗରେ ମିଶି ରେଷ୍ଟରାଣ୍ଟରେ ଖାଇବା ଓ ସାର୍ବଜନୀନ ସ୍ଥାନରେ ଭିଡ଼ ଜମାଇବା ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ ଲୋକମାନେ ଯାତ୍ରା ପାଇଁ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।

Share