ସାଇବର ଆକ୍ରମଣ ପାଇଁ ଚାଇନା ଦାୟୀ…

ଓଟଓ୍ବା, ୨୭।୩ : କାନାଡାର ଏକ ଥିଙ୍କ ଟ୍ୟାଙ୍କର ଆନ୍ତର୍ଜାତୀୟ ଫୋରମ ଫର୍‌ ରାଇଟ୍ସ ଆଣ୍ଡ ସିକ୍ୟୁରିଟି (ଆଇଏଫଏଫଆରଏସ) କହିଛି ଯେ ପୃଥିବୀରେ ଘଟୁଥିବା ଅଧିକାଂଶ ସାଇବର ଆକ୍ରମଣ ପାଇଁ ଚାଇନା ଦାୟୀ। ସଂଗଠନ କହିଛି ଯେ ଏହି ଆକ୍ରମଣଗୁଡିକର ଉଦ୍ଦେଶ୍ୟ ମୁଖ୍ୟତଃ ଦୁର୍ବଳତା ଖୋଜିବା ଯାହା ମାଧ୍ୟମରେ ଚାଇନା ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବାରେ ସକ୍ଷମ ହୋଇ ପାରିବ।

ପୃଥିବୀର ୨୦ ଟି ବୃହତ୍ତମ ବହୁରାଷ୍ଟ୍ରୀୟ କମ୍ପାନୀକୁ ସାଇବର ସୁରକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା କ୍ରାଉଡ ଷ୍ଟ୍ରାଇକ କମ୍ପାନୀ କହିଛି ଯେ କର୍ପୋରେଟ ସଂସ୍ଥାଙ୍କ ଗୁପ୍ତ ତଥ୍ୟ ଜାଣି ଚାଇନା ଏହାର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଏଭଳି କରୁଛି।

ଆମେରିକାର ବ୍ୟବସାୟ ତଥା ଅନ୍ତର୍ଜାତୀୟ ମାନବିକ ଅଧିକାର ଗୋଷ୍ଠୀ ସମୁହର ତଥ୍ୟ ଜାଣିବା ଲାଗି ଚାଇନା ଉଦ୍ୟମ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଚାଇନା ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି କରିବା ପାଇଁ ଏଭଳି ଅପରେଶନ କରିଛି। ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ, ଥିଙ୍କ ଟ୍ୟାଙ୍କ ଏବଂ ଏନଜିଓ ଉପରେ ଚାଇନା ସାଇବର ଆକ୍ରମଣ କରିଛି।

ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସ ଆନୁଆଲ୍‌ ଥ୍ରେଟ୍‌ ଆସେସମେଣ୍ଟ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶର ଆଣବିକ ଏବଂ ଜୈବିକ ଅସ୍ତ୍ର, ବିଶେଷକରି ସଂକ୍ରାମକ ରୋଗ, ସାଇବର ଆକ୍ରମଣ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ଗୁପ୍ତ ତଥ୍ୟ ଚୋରି କରିବାକୁ ଚାଇନା ପ୍ରୟାସ କରିଛି। ଫଳରେ ଆମେରିକୀୟଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେବାରେ ଲାଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share