ଆମେରିକା ନିର୍ବାଚନ ପ୍ରଭାବିତ କରିବାକୁ ଚାଇନା, ରୁଷିଆ, ଇରାନର ଉଦ୍ୟମ

ଓ୍ବାଶିଂଟନ, ୯।୮(ଆଇଏଏନ୍‌ଏସ୍‌): ଆମେରିକାରେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଚାଇନା, ରୁଷିଆ ଓ ଇରାନ ଉଦ୍ୟମ ଚଳାଇଥିବା ଜଣାପଡିଛି। ଆମେରିକାର ଶୀର୍ଷ ଗୋଇନ୍ଦା ଅଧିକାରୀ ଏନେଇ ସତର୍କ କରିଦେଇଛନ୍ତି। ବିଦେଶୀ ରାଷ୍ଟ୍ରଗୁଡ଼ିକ ଭୋଟରମାନଙ୍କ ପସନ୍ଦକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଆମେରିକା ନୀତିକୁ ବଦଳାଇବା ସହ ଦେଶରେ ବିବାଦ ବଢ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆମେରିକାବାସୀଙ୍କ ଆସ୍ଥାକୁ ଦୁର୍ବଳ କରିଦେବା ସେମାନଙ୍କର ଉଦ୍ଦେଶ୍ୟ ବୋଲି ନ୍ୟାଶନାଲ କାଉଣ୍ଟର-ଇଣ୍ଟେଲିଜେନ୍ସ ଆଣ୍ଡ ସିକ୍ୟୁରିଟି ସେଣ୍ଟର (ଏନ୍‌ସିଏସ୍‌ସି)ର ମୁଖ୍ୟ ଓ୍ବିଲିୟମ ଏଭାନିନା କହିଛନ୍ତି। ତେବେ ଭୋଟ ପ୍ରକ୍ରିୟାରେ ହସ୍ତକ୍ଷେପ କରି ଫଳାଫଳକୁ ବଦଳାଇବା ସେମାନଙ୍କ ପାଇଁ କଷ୍ଟକର ହେବ। ଏଭାନିନାଙ୍କ ମତରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହୁଅନ୍ତୁ ଏହା ଚାଇନା ଚାହୁଁନାହିଁ। ଟ୍ରମ୍ପ୍‌ଙ୍କୁ ଜଣେ ଅପ୍ରତ୍ୟାଶିତ ନେତା ଭାବେ ବେଜିଂ ଦେଖୁଛି। ସେଥିପାଇଁ ଭୋଟକୁ ପ୍ରଭାବିତ କରିବା ଲାଗି ଚାଇନା ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କୁ ବଦନାମ କରିବାକୁ ରୁଷିଆ ଚାହୁଁଥିବା ଏଭାନିନା କହିଛନ୍ତି। ଏହି କାର୍ଯ୍ୟରେ ରୁଷିଆ ସହିତ ଅନ୍ୟ କେତେକ ଦେଶ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ସୋସିଆଲ ମିଡିଆ ଓ ରୁଷିଆ ଟେଲିଭିଜନରେ ଟ୍ରମ୍ପ୍‌ଙ୍କ ପ୍ରାର୍ଥତ୍ତ୍ୱକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଇରାନ ଅନ୍‌ଲାଇନରେ ଆମେରିକା ବିରୋଧୀ ପ୍ରଚାର ଚଳାଇଛି। ଭୋଟରଙ୍କ ମଧ୍ୟରେ ଭୁଲ୍‌ ସୂଚନା ପ୍ରସାର କରି ଆମେରିକାର ଗଣତନ୍ତ୍ର, ଟ୍ରମ୍ପଙ୍କୁ ଦୁର୍ବଳ କରିବାକୁ ଇରାନ ଉଦ୍ୟମ କରିବା ସହ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା ଚଳାଇଥିବା ଗୋଇନ୍ଦା ମୁଖ୍ୟ କହିଛନ୍ତି।

Share