ଉତ୍ତର କୋରିଆକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଚାଇନା-ରୁଷିଆ, ଜାତିସଂଘରେ ଆମେରିକାର କଡ଼ା ସମାଲୋଚନା…

ଜେନେଭା,୬।୧୦ : ଦୀର୍ଘ ଦିନ ଧରି ଉତ୍ତର କୋରିଆ କ୍ରମାଗତ ଭାବରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ନିକଟରେ ଉତ୍ତର କୋରିଆ ଜାପାନ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉତ୍ତର କୋରିଆ ଉପରେ କ୍ରୋଧିତ ଆମେରିକା ମିଳିତ ଜାତିସଂଘରେ ରୁଷିଆ ଏବଂ ଚାଇନାକୁ କଡ଼ା ସମାଲୋଚନା କରିଛି। ଆମେରିକା କହିଛି ଯେ ରୁଷିଆ, ଚାଇନା ପୋୟାଙ୍ଗୟଙ୍ଗକୁ ଆଣବିକ ଅସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଲାଗିଥିବା ପ୍ରତିବନ୍ଧକରୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି।

ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ କହିଛନ୍ତି ଯେ ଉତ୍ତର କୋରିଆକୁ ଜାତିସଂଘର ଦୁଇଜଣ ସଦସ୍ୟଙ୍କ ସୁରକ୍ଷା ମିଳିଛି। ସେ ସ୍ପଷ୍ଟ ଭାବେ କହିଛନ୍ତି, ସୁରକ୍ଷା ପରିଷଦର ଦୁଇ ସ୍ଥାୟୀ ସଦସ୍ୟ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କୁ ସୁଯୋଗର ଅପବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି।

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଜାପାନ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ପରୀକ୍ଷା ପରେ ପରିଷଦର ୧୫ ଜଣିଆ ସଦସ୍ୟଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉତ୍ତର କୋରିଆର ପୂର୍ବ ଉପକୂଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବା ପରେ ଟୋକିଓ ଏହାର ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ କହିଛି। କ୍ୟୋଡୋ ନ୍ୟୁଜ ଅନୁଯାୟୀ, ଜାପାନର ଉତ୍ତର ଦ୍ୱୀପ ହକ୍କାଇଡୋ ଏବଂ ଉତ୍ତର-ପୂର୍ବ ପ୍ରଦେଶର ଆମୋରିର ନାଗରିକମାନଙ୍କୁ ବିଲଡିଂ ଭିତରେ ରହିବାକୁ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି।

Share