ବେଜିଂ,୮ା୪: ଚାଇନାର ଏକ ଗବେଷକ ଦଳ ୨୦୨୦ରେ ଉହାନ୍ ସି ଫୁଡ୍ ହୋଲ୍ସେଲ୍ ମାର୍କେଟରୁ ସଂଗୃହୀତ ନମୁନାଗୁଡ଼ିକର ବିଶ୍ଳେଷଣ କରି ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ସାମ୍ପୁଲଗୁଡ଼ିକ ହେଉଛି ସେହି ସମୟର ଯେତେବେଳେ କି କୋଭିଡ୍-୧୯ ବ୍ୟାପିବାରେ ଲାଗିଥିଲା। ମହାମାରୀ କିପରି ଆରମ୍ଭ ହୋଇଥିଲା ସେହି ରହସ୍ୟ ଉପରୁ ଏହି ବିଶ୍ଳେଷଣରେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇ ନାହିଁ। ତେବେ ଏଥିରେ ଥିବା ବିବରଣୀ କୋଭିଡ୍ ଉତ୍ପତ୍ତି ସମ୍ପର୍କରେ ଅନୁସନ୍ଧାନ ଲାଗି ଖୋରାକ୍ ଯୋଗାଇପାରେ ବୋଲି କୁହାଯାଉଛି।
୨୦୨୦ ଜାନୁୟାରୀ ୧ରେ ଉହାନ୍ ଓ୍ବେଟ୍ ମାର୍କେଟ ବନ୍ଦ ହେବା ପରେ ସେଠାରୁ ୯୨୩ ନମୁନା ନିଆଯାଇଥିଲା। ଜାନୁୟାରୀ ୧୮ରୁ ୧୮ ପ୍ରଜାତୀର ପ୍ରାଣୀଙ୍କ ୪୫୭ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ଏସ୍ଏଆର୍ଏସ୍-ସିଓଭି-୨ ପଜିଟିଭ୍ ଚିହ୍ନଟ ହୋଇଥିବା ନମୁନାଗୁଡ଼ିକରେ ପ୍ରାଣୀଙ୍କ ଡିଏନ୍ଏ ରହିଥିଲା। ଏହା ଜୈବିକ ପ୍ରମାଣ ସମ୍ପର୍କିତ ପ୍ରଥମ ପ୍ରାକ୍-ସମୀକ୍ଷା ବୋଲି ‘ନେଚର’ ମାଗାଜିନ୍ର ଏପ୍ରିଲ ୫ ସଂସ୍କରଣରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବେଜିଂ ସ୍ଥିତ ଚାଇନାଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ୍ର ଓ୍ବିଲିୟମ୍ ଜେ ଲିଉ, ପେଇପେଇ ଲିଉ, ଓ୍ବେନ୍ଓ୍ବେନ୍ ଲେଇ, ଝିୟୁଆନ୍ ଜିଆ ଏବଂ ଶିଆଝୌ ହେ ଏହି ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।