ବିଆରଆଇ ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଚାଇନା, ଯୋଗଦେବେ ପୁଟିନ୍‌

ବେଜିଂ, ୮।୯: ବିଶ୍ୱର ଅନେକଙ୍କ ପାଇଁ ଋଣ ଜାଲରେ ପରିଣତ ହୋଇଥିବା ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ଚାଇନା। ଅକ୍ଟୋବରରେ ଚାଇନା ବିଆରଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ଯେଉଁଥିରେ ବିଶ୍ୱର ୯୦ଟି ଦେଶ ଅଂଶଗ୍ରହଣକୁ କରିବାକୁ ଯାଉଛନ୍ତି। ଏଥିରେ ଭାରତର ବନ୍ଧୁ ରାଷ୍ଟ୍ର ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସାମିଲ ହେବେ। ବିଆରଆଇର ୧୦ବର୍ଷ ପୂରଣ ହେବା ଖୁସିରେ ବେଜିଂରେ ତୃତୀୟ ବିଆରଆଇ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ବୋଲି ଚାଇନା ଘୋଷଣା କରିଛି।

ସୂଚନାଯୋଗ୍ୟ, ପୁଟିନଙ୍କ ବ୍ୟତୀତ ସର୍ବିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଭ୍ୟୁଚିକ, ଆର୍ଜେଣ୍ଟିନାର ରାଷ୍ଟ୍ରପତି ମଧ୍ୟ ଏହି ସମ୍ମିଳନୀରେ ଭାଗ ନେବେ। ପୁଟିନଙ୍କ ସହଯୋଗୀ ୟୁରୀ ଉଷାକୋଭ କହିଛନ୍ତି, ବିଆରଆଇ ଶିଖର ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଉପସ୍ଥିତ ରହିବେ। ଆମକୁ ନିମନ୍ତ୍ରଣ କରାଯାଇଛି।

ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ଯେ, ଏପର୍ଯ୍ୟନ୍ତ ୧୫୦ଟି ଦେଶ ବିଆରଆଇ ଦସ୍ତାବିଜରେ ଦସ୍ତଖତ କରିଛନ୍ତି। ୧ ଟ୍ରିଲିୟନ ଡଲାର ବିନିଯୋଗରେ ୩୦୦୦ ପ୍ରକଳ୍ପ କରାଯାଇଛି। ସମାଲୋଚକମାନେ ଦାବି କରିଛନ୍ତି ଯେ,ବିଆରଆଇ ହେଉଛି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ଷଡଯନ୍ତ୍ର, ଯାହା ମାଧ୍ୟମରେ ସେ ସମଗ୍ର ବିଶ୍ୱରେ ଭୌଗୋଳିକ ତଥା ଅର୍ଥନୈତିକ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଆରଆଇର କବଳରେ ଫସି ରହିଛନ୍ତି। ସେହିପରି ଜି୭ରେ ସାମିଲ ହୋଇଥିବା ଇଟାଲୀ ଏକମାତ୍ର ଦେଶ ଯିଏକି ବିଆରଆଇରେ ଯୋଗ ଦେଇଥିଲା, କିନ୍ତୁ ବର୍ତ୍ତମାନ ନିଜ ଭୁଲ ପାଇଁ ସେ ଅନୁତାପ କରୁଛି।

Share