ଆମେରିକା ବିରୋଧରେ ସ୍ବର ଉତ୍ତୋଳନ କଲା ଚାଇନା

ବେଜିଂ,୫ା୨: ଆମେରିକା ବିରୋଧରେ ଚାଇନା ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ ଆରମ୍ଭ କରିଛି। ଏଥର ଚାଇନା ତା’ର ମିତ୍ର ରାଷ୍ଟ୍ର ଉତ୍ତରକୋରିଆ ସପକ୍ଷରେ ସ୍ବର ଉତ୍ତୋଳନ କରିଛନ୍ତି। ଉତ୍ତରକୋରିଆ ସହ ତିକ୍ତତା ହ୍ରାସ କରିବାକୁ ଚାଇନା ଆମେରିକାକୁ ନିବେଦନ କରିଛି। ମିଳିତ ଜାତିସଂଘରେ ଚାଇନାର ରାଷ୍ଟ୍ରଦୂତ ଝାଙ୍ଗ୍‌ ଜୁନ୍‌ କହିଛନ୍ତି, ଉତ୍ତରକୋରିଆ ସହିତ ତିକ୍ତତା ହ୍ରାସ ପାଇଁ ଆମେରିକା ଅଧିକ ବ୍ୟବହାରିକ ନୀତି ପ୍ରସ୍ତୁତ କରିବା ଉଚିତ୍‌।

ସେ ଆହୁରି ମଧ୍ୟ କହିଛନ୍ତି, ଏହାର ସମାଧାନ ପ୍ରତ୍ୟକ୍ଷ ଆଲୋଚନାରେ ହିଁ ସମ୍ଭବ ହୋଇପାରିବ। ଉତ୍ତରକୋରିଆ ସହ ବିବାଦର ସମାଧାନ କରିବାକୁ ଚାହିଁଲେ ଆମେରିକାର ବାଇଡେନ ପ୍ରଶାସନକୁ ଅଧିକ ଗମ୍ଭୀରତା ଏବଂ ନମନୀୟତା ଦେଖାଇବାକୁ ପଡ଼ିବ। ଆମେରିକା-ଉତ୍ତରକୋରିଆ ଆଣବିକ ବିବାଦ ଉପରେ ଚାଇନାର ମତାମତ ସମ୍ପର୍କରେ ପଚରାଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତରକୋରିଆ ସହିତ ଚାଇନା ଏବଂ ରୁଷିଆର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉତ୍ତରକୋରିଆ ଉପରେ ନୂତନ କଟକଣା ଲାଗୁ କରିବାକୁ ଉଭୟ ଦେଶ ନିକଟରେ ଆମେରିକାର ଏକ ପ୍ରସ୍ତାବକୁ ଅବରୋଧ କରିଛନ୍ତି।

Share