ଆମେରିକା-ବ୍ରାଜିଲ-ସୌଦି ମୁଣ୍ଡରେ ଅଠା ବୋଳିଲା ଚାଇନା…

ବେଜିଂ,୩୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ଅନ୍ୟ ମୁଣ୍ଡରେ ଅଠା ବୋଳିବା ଲାଗି ଅଣ୍ଟା ଭିଡ଼ିଛି। ଆମେରିକା ତଦନ୍ତକାରୀ ସଂସ୍ଥା ପକ୍ଷରୁ କରୋନା ସୃଷ୍ଟି ଆଉ କେବେ ଜଣାପଡ଼ିବ ନାହି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଚାଇନାର ନୂଆ ଥିଓରୀ ପ୍ରକାଶ କରିଛି। ଏଥିରେ କରୋନା ସଂକ୍ରମଣ ବ୍ୟାପିବା ଲାଗି ଆମେରିକା, ବ୍ରାଜିଲ୍‌ ଏବଂ ସୌଦିକୁ ଦାୟୀ କରିଛି। ଏଥିପାଇଁ ଟୁଇଟରଠାରୁ ଆରମ୍ଭ କରି ଚାଇନାର ମିଡିଆ ପର୍ଯ୍ୟନ୍ତ ଏକ ଜବରଦସ୍ତ ଅଭିଯାନ ଆରମ୍ଭ କରାଯାଇଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନାର ଗଣମାଧ୍ୟମ ଏହାର ନୂତନ ଥିଓରୀକୁ ସତ୍ୟରେ ପରିଣତ କରାଇବା ଲାଗି ବହୁ ନକଲି ଆକାଉଣ୍ଟ ମଧ୍ୟ ଖୋଲିଛି।

ଚାଇନାର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆମେରିକା, ସୌଦି, ବ୍ରାଜିଲ ଭଳି ଦେଶ ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଲାଗି ଦାୟୀ।ଆମେରିକାର ଘୁଷୁରି ମାଂସ, ବ୍ରାଜିଲର ଗୋମାଂସ, ସୌଦିର ଚିଙ୍ଗୁଡ଼ି ଏବଂ ଆମେରିକାର  ଲବଷ୍ଟର କୋଭିଡ -୧୯ ସଂକ୍ରମଣର ମୁଖ୍ୟ କାରଣ।

ଚାଇନାକୁ ସମର୍ଥନ କରୁଥିବା ନକଲି ଆକାଉଣ୍ଟଗୁଡ଼ିକ ସମ୍ପର୍କରେ ତଥ୍ୟ ମଧ୍ୟ ପ୍ରକାଶ ପାଇଛି। ଚାଇନାକୁ ସମର୍ଥନ କରୁଥିବା ଆକାଉଣ୍ଟ ସମ୍ପର୍କରେ ଅନୁସନ୍ଧାନକାରୀ ମାର୍ସେଲ ସ୍କ୍ଲିବସ ଲେଖିଛନ୍ତି ଯେ, ଏହି ନୂଆ ଥିଓରୀକୁ ନକଲି ଆକାଉଣ୍ଟରେ ସମର୍ଥନ କରାଯାଇଛି। କରୋନା ମହାମାରୀ ପାଇଁ ଥଣ୍ଡା ମାଂସକୁ ଏସବୁ ନକଲି ଆକାଉଣ୍ଟ ଦାୟୀ କରୁଛନ୍ତିି। ସେ କହିଛନ୍ତି ଯେ କୋଭିଡ -୧୯ ମହାମାରୀ ପାଇଁ ଆମେରିକା, ବ୍ରାଜିଲ, ସାଉଦି ଆରବ ଦାୟୀ ବୋଲି ଚାଇନା ପ୍ରମାଣ କରିବାକୁ ଚେଷ୍ଟା କରୁଛି। ସ୍କ୍ଲେବସ ଟୁଇଟରରେ ଚାଇନାକୁ 18 ମାସ ସମର୍ଥନ କରିଥିବା ଆକାଉଣ୍ଟକୁ ବିଶ୍ଳେଷଣ କରିଥିଲେ। କୋଲକାତା କନସୁଲେଟରେ ଜଣେ ଚାଇନା କୂଟନୀତିଜ୍ଞଙ୍କ ଦ୍ୱାରା ଏହି ସମସ୍ତ ନକଲି ଆକାଉଣ୍ଟକୁ ପ୍ରୋତ୍ସାହନ ମିଳୁଥିଲା।

କରୋନାର ଏନ୍ତୁଡ଼ିଶାଳ ସାଜିଥିବା ଉହାନ ରିପୋର୍ଟକୁ ଏଡାଇବା ପାଇଁ ଚାଇନା ଏହି ନୂଆ ଥିଓରୀର ପ୍ରଚାର କରୁଛି। ରିପୋର୍ଟରେ କୁହାଯାଇଛି ଯେ କୋଭିଡ -୧୯ ସଂକ୍ରମଣ ପାଇଁ ଚାଇନାର ଉହାନ ସହରକୁ କେତେକ ଦାୟୀ କରୁଛନ୍ତିି। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି ଯେ ଚାଇନାର ଉହାନ ଲାବୋରେଟୋରୀରେ ଦୂଷିତ ମାଂସ ବ୍ୟବହାର କରିବା ଯୋଗୁ କୋଭିଡ -୧୯ ବ୍ୟାପିଛି। ଏହି ସିଦ୍ଧାନ୍ତକୁ ଭୁଲ ପ୍ରମାଣ କରିବାକୁ ଚାଇନା ନିଜର ଏକ ନୂତନ ଥିଓରୀ ଆଣିଛି। ବର୍ତ୍ତମାନ ଏହା ଦୂଷିତ ମାଂସ କଥା କହି ଅନ୍ୟ ଦେଶକୁ କରୋନା ସଂକ୍ରମଣ ଲାଗି ଟାର୍ଗେଟ କରୁଛି।

Share