କରୋନା ଯାଞ୍ଚ ପାଇଁ ଚାଇନା ଯିବ ଡବ୍ଲୁଏଚ୍‌ଓ

ବେଜିଂ,୧୧ ।୧: କରୋନା ଭାଇରସ କେଉଁଠୁ ଆସିଲା, ଏହାର ଉତ୍ପତି ସ୍ଥଳ କେଉଁଠି ଏହାର ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ପୁଣିଥରେ ଚାଇନା ଯିବେ ବୋଲି ଜଣାପଡିଛି । ସୋମବାର ଚାଇନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚାଇନା କହିଛି କରୋନା ଭାଇରସର ଯାଞ୍ଚ ପାଇଁ ଡବ୍ଲୁଏଚ୍‌ଓର ଏକ ଟିମ୍ ୧୪ ଜାନୁୟାରୀରେ ଚାଇନା ଆସିବେ । ଏଥିରୁ ସ୍ପଷ୍ଟ ହୋଇଛି ଯେ ଏବେ ଚାଇନା କରୋନା ଭାଇରସର ଯାଞ୍ଚ ପାଇଁ ପ୍ରସ୍ତୁତ ହୋଇଗଲାଣି । ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଟିମ୍ ଚାଇନାରେ କରୋନା ଭାଇରସ ସହ ଜଡିତ ଜରୁରୀ ତଥ୍ୟ ପ୍ରମାଣ ଏକାଠି କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ଥରେ ଡବ୍ଲୁଏଚ୍‌ଓ କରୋନା ଭାଇରସର ଯାଞ୍ଚ ପାଇଁ ଚାଇନା ଯିବାକୁ ଥିବା ବେଳେ ଏଥିରେ ଚାଇନା ସହଯୋଗ କରି ନ ଥିଲା । ହେଲେ ଏଥର ଚାଇନାର ସ୍ୱାସ୍ଥ୍ୟ ପ୍ରାଧିକରଣ ସୂଚନା ଦେଇ କହିଛି ଯେ ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଟିମ୍ କରୋନା ଯାଞ୍ଚ ପାଇଁ ଚାଇନା ଆସୁଛନ୍ତି । ଚାଇନା ଯଦି ସହଯୋଗ କରେ ତେବେ ଡବ୍ଲୁଏଚ୍‌ଓ ହାତରେ କରୋନା ସମ୍ପର୍କିତ କିଛି ତଥ୍ୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

Share