Categories: ଜାତୀୟ

୨ ଭାରତୀୟ ଖବରଦାତାଙ୍କ ଭିଜା ସିଜ୍‌ କଲା ଚାଇନା

ନୂଆଦିଲ୍ଲୀ,୭ା୪: ଭାରତର ୨ ଜଣ ଖବରଦାତାଙ୍କ ଭିଜାକୁ ଚାଇନା ବାଜ୍ୟାପ୍ତ କରିଛି। ସେମାନେ ହେଲେ ‘ଦି ହିନ୍ଦୁ’ର ଅନନ୍ତ କ୍ରିଷ୍ଣନ୍‌ ଓ ପ୍ରସାର ଭାରତୀ ସାମ୍ବାଦିକ ଅଂଶୁମାନ ମିଶ୍ର। ଉଭୟେ ବର୍ତ୍ତମାନ ଭାରତରେ ଥିବାବେଳେ ଚାଇନାକୁ ଯିବା ପାଇଁ ଅନୁମତି ପାଇବେ ନାହିଁ। ମାର୍ଚ୍ଚ ୩୧ରେ କ୍ରିଷ୍ଣନ୍‌ ଭାରତକୁ ଫେରୁଥିବାବେଳେ ବିମାନବନ୍ଦରରେ ଚାଇନା ଅଧିକାରୀମାନେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଭାରତରେ ଥିବା ଚାଇନା ଖବରଦାତାମାନଙ୍କ ଭିଜା ଅବଧି ନୂଆଦିଲ୍ଲୀ ନ ବଢ଼ାଇଲେ ୨ ଭାରତୀୟ ଖବରଦାତାଙ୍କ ଭିଜା ପ୍ରତ୍ୟାହାର ଭଳି ମୁକାବିଲା ପଦକ୍ଷେପ ନିଆଯିବ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏକ ରିପୋର୍ଟ ଅନୁସାରେ, ଭାରତରେ ରିପୋର୍ଟ ସଂଗ୍ରହ ପାଇଁ ଚାଇନା ନିଜ ଖବରଦାତାମାନଙ୍କ ପାଇଁ ଅଧିକ ଭିଜା ଚାହୁଁଛି। ବର୍ତ୍ତମାନ ଚାଇନା ଖବରଦାତାମାନେ ପ୍ରତି ୩ ମାସରେ ଥରେ ନିଜ ଭିଜା ନବୀକରଣ କରୁଛନ୍ତି। ଏହି ଅବଧିକୁ ୧୨ ମାସ ପର୍ଯନ୍ତ ବୃଦ୍ଧି କରାଯାଉ ବୋଲି ଚାଇନା ଦାବି କରିଛି। ଏହି ବିବାଦ ସୃଷ୍ଟି ହେବା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗୁରୁବାର କହିଛନ୍ତି, ଚାଇନା ଜର୍ନାଲିଷ୍ଟମାନେ ସାମ୍ବାଦିକତା ପାଇଁ ବୈଧ ଭାରତୀୟ ଭିଜା ପାଇଛନ୍ତି। ତେଣୁ ଚାଇନା ମଧ୍ୟ ସେଠାରେ ରିପୋର୍ଟିଂ କରୁଥିବା ଭାରତୀୟ ଖବରଦାତାମାନଙ୍କୁ ଅସୁବିଧାରେ ପକାଇବା ଭଳି ସୀମା ନିର୍ଦ୍ଧାରଣ କରିବା ଅନୁଚିତ। ଏନେଇ ବେଜିଂ ସହ ଆଲୋଚନା ଚାଲିଥିବା ଅରିନ୍ଦମ ସୂଚନା ଦେଇଛନ୍ତି। ଏନେଇ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି, ଚାଇନା ଖବରଦାତାମାନଙ୍କୁ ଭାରତରେ ଦୀର୍ଘଦିନ ହେଲା ଭଲ ବ୍ୟବହାର ଦେଖାଯାଉନାହିଁ। ନିକଟରେ ଶିନ୍‌ହୁଆର ଜଣେ ଖବରଦାତାଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ଛାଡ଼ିବାକୁ କୁହାଯାଇଥିଲା। ଚାଇନା ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗ୍‌ନାନ୍‌’ ଅଭିହିତ କରି ୧୧ ସ୍ଥାନର ନୂତନ ନାମକରଣ କରିଛି। ଏହି ଏକତରଫା ପରିର୍ତ୍ତନକୁ ନୂଆଦିଲ୍ଲୀ ବିରୋଧ କରିଥିବାବେଳେ ୨ ଖବରଦାତାଙ୍କ ଭିଜା ପ୍ରତ୍ୟାହାର ନିଷ୍ପତ୍ତି ନେଇଛି।

Share