ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ ପୁଣି ଆଉ ଏକ ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସୂଚନାଯୋଗ୍ୟ, ଚାଇନା କମ୍ପାନୀଠାରୁ ସାମଗ୍ରୀ ନ କିଣିବାକୁ ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଟେଣ୍ଡରକୁ ବାତିଲ କରାଯାଇଛି। ବର୍ତ୍ତମାନ ନୂଆ ଟେଣ୍ଡରରେ ମେକ୍‌ ଇନ୍‌ ଇଣ୍ଡିଆ ଓ ଭାରତୀୟ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରାଯିବ। ସୂଚନା ମୁତାବକ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ଉପରେ ସର୍ବାଧିକ ଚାଇନା ଉତ୍ପାଦ କିଣିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁଥିରେ ସରକାରୀ କମ୍ପାନୀ ଚାଇନା କମ୍ପାନୀଠାରୁ ସାମଗ୍ରୀ କିଣିବାରୁ ଦୂରେଇ ରହିବାକୁ କୁହାଯାଇଥିଲା। ସେହିପରି ୪ଜି ସୁବିଧା ନବୀକରଣରେ କୌଣସି ଚାଇନା କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଉପକରଣକୁ ବ୍ୟବହାର ନ କରିବା ପାଇଁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂରା ଟେଣ୍ଡରକୁ ପୁନର୍ବାର ନୂତନ ଭାବେ ଜାରି କରାଯିବ।

Share