ଅନୁଚ୍ଛେଦ ୩୭୦ ରଦ୍ଦ ନେଇ ପାକିସ୍ତାନକୁ ଝଟକା ଦେଲା ଚାଇନା…

ବେଜିଂ,୧୨।୧୨ : ଜମ୍ମୁ-କଶ୍ମୀରରେ ୩୭୦ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦୃଶ୍ୟମାନ ହେବାରେ ଲାଗିଛି। ପଡୋଶୀ ଦେଶ ଚାଇନାରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଏହି ନିଷ୍ପତ୍ତିକୁ ସ୍ବାଗତ କରି ଚାଇନା ସରକାର ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ପାକିସ୍ତାନ ସହ ଚାଲିଥିବା ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଚାଇନାର ଏଭଳି ମନ୍ତବ୍ୟ ନେଇ ପାକିସ୍ତାନକୁ ବଡ ଝଟକା ଲାଗିଛି।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ତୁରନ୍ତ ପାକିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଜଲିଲ ଅବ୍ବାସ ଜିଲାନି କହିଥିଲେ ଏହି ନିଷ୍ପତ୍ତି କଠୋର ନ୍ୟାୟପାଳିକାର ଫଳାଫଳ। କଶ୍ମୀରବାସୀ ଏବଂ ପାକିସ୍ତାନର ଇଚ୍ଛା ବିରୁଦ୍ଧରେ ଏକପାଖିଆ ନିଷ୍ପତ୍ତି ନେବାକୁ ଭାରତର କୌଣସି ଅଧିକାର ନାହିଁ। ଜମ୍ମୁ-କଶ୍ମୀର ହେଉଛି ଏକ ଅନ୍ତର୍ଜାତୀୟ ବିବାଦ, ଯାହା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡାରେ ଅନ୍ତର୍ଭୁକ୍ତ ।

ମଙ୍ଗଳବାର ଦିନ ଚାଇନା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଜିଂରେ ବୈଦେଶିକ ମନ୍ତ୍ରଣାଳୟର ଗଣମାଧ୍ୟମ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର ମାଓ ନିଙ୍ଗ କଶ୍ମୀର ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟକୁ ସ୍ଥିର ଏବଂ ସ୍ପଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଜାତିସଂଘର ଚାଟର୍ର୍‌, ସୁରକ୍ଷା ପରିଷଦର ନିଷ୍ପତ୍ତି ଏବଂ ପ୍ରଯୁଜ୍ୟ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ଏବଂ ଉପଯୁକ୍ତ ଭାବରେ ସମାଧାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ତେବେ ବର୍ତ୍ତମାନ ଚାଇନା ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ସମ୍ପର୍କରେ ଭାରତୀୟ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

 

Share