କଏଦୀଙ୍କ କିଡ୍‌ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…

ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା ପ୍ରକାଶ ପାଇଛି ଯେ ଏଠାରେ ଥିବା ଲୋକଙ୍କ ଜୀବନ ସରକାରଙ୍କ ହାତରେ ଅଛି। ସରକାର ନିଜ ଇଚ୍ଛାନୁସାରେ ଲୋକଙ୍କୁ ପରିଚାଳିତ କରାନ୍ତି। ଖବର ଅନୁଯାୟୀ ଚାଇନାରେ କଏଦୀମାନଙ୍କୁ ହତ୍ୟା କରାଯାଇ ସେମାନଙ୍କର କିଡ଼୍‌ନୀ, ହାର୍ଟ, ଲିଭର, ଆଖି ଆଦି କାଢ଼ି ନିଆଯାଉଛି। ଯେଉଁ କଏଦୀମାନଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡାଦେଶ ହୋଇଛି ସେମାନଙ୍କୁ ଏଭଳି କରାଯାଉଛି।

ଚାଇନାରେ, ୧୯୮୪ ପରଠାରୁ ମୃତ୍ୟୁଦଣ୍ଡ ପାଇଥିବା କଏଦୀମାନଙ୍କ ଶରୀରରୁ ଅଙ୍ଗ ବାହାର କରିବା ଆଇନଗତ। ଯଦି କଏଦୀଙ୍କ ମୃତଶରୀର ନେବାକୁ କେହି ସମ୍ପର୍କୀୟ ନ ଆସନ୍ତି ତେବେ ଆଇନ ଅନୁସାରେ ସେମାନଙ୍କର ଅଙ୍ଗ କାଢ଼ି ନିଆଯିବ। ଏସମ୍ପର୍କରେ ୨୦୧୯ରେ ପର୍ଦ୍ଦାଫାଶ୍‌ ଘଟିଥିଲା।

ଅଷ୍ଟ୍ରେଲିୟା ନ୍ୟାଶନାଲ ୟୁନିଭରସିଟିର ମାଥ୍ୟୁ ରୋବର୍ଟସନ ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ ଚାଇନାର କେତେକ କାରାଗାରରେ ବନ୍ଦୀମାନେ ଜୀବିତ ଥିବାବେଳେ ସେମାନଙ୍କର ଅପରେଶନ କରାଯାଉଥିଲା।

ଆମେରିକାର ଜର୍ଣ୍ଣାଲ ଅଫ ଟ୍ରାନ୍ସପ୍ଲାଣ୍ଟେଶନରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହା ସାମ୍ନାକୁ ଆସିଥିଲା ଯେ କିଡନୀ ଏବଂ ହୃଦୟ କଏଦୀମାନଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ଦର୍ଶାଇ ସେମାନଙ୍କର କିଡ଼୍‌ନୀ, ହାର୍ଟ, ଲିଭର, ଆଖି ଆଦି କାଢ଼ି ନିଆଯାଇଛି।

୨୦୧୯ ରେ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଜାଣିବାକୁ ପାଇଲା ଯେ ମୃତ୍ୟୁଦଣ୍ଡ ପୂର୍ବରୁ କଏଦୀମାନଙ୍କୁ ହତ୍ୟା କରାଯାଉଛି। ଏହାପରେ ସେମାନଙ୍କ ଶରୀରରୁ ଅଙ୍ଗ କାଢ଼ି ନିଆ ଯାଉଛି।

Share